ହାଇଟେକ୍‌ର ୬୩ କୋଟି ୫୫ ଲକ୍ଷ ବଣ୍ଟାଯିବ: ଫେରିପାଇବେ ୨୨ ହଜାର ଜମାକାରୀ

କଟକ ଅଫିସ,୧୭ା୭: ହାଇଟେକ୍‌ ଗ୍ରୁପର ୬୩ କୋଟି ୫୫ ଲକ୍ଷ ୪୯ହଜାର ୨୨୭ ଟଙ୍କା ଜମାକାରୀଙ୍କୁ ଫେରସ୍ତ ଦିଆଯିବ। ଏହି ଟଙ୍କାକୁ ୨୨ ହଜାର ୭୦୦ ଜମାକାରୀ ଫେରି ପାଇବେ। ସ୍ବତନ୍ତ୍ର କୋର୍ଟ ପକ୍ଷରୁ ସୋମବାର ଏ ସମ୍ପର୍କିତ ଆଦେଶ ସରକାରଙ୍କୁ ଜାରି କରାଯାଇଛି। ସୂଚନାଥାଉକି, ଲୋକଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ହାଇଟେକ୍‌ ଗ୍ରୁପ ଏହି ଟଙ୍କା ଆଦାୟ କରିଥିଲା। ମାତ୍ର ପରବର୍ତ୍ତୀ ଅବସ୍ଥାରେ ଉକ୍ତ ସଂସ୍ଥା ଲୋକଙ୍କୁ ଠକିଥିଲା। ଏହି ମାମଲାରେ ଗ୍ରୁପର ମୁଖ୍ୟ ତିରୁପତି ପାଣିଗ୍ରାହୀ ଗିରଫ ହୋଇଥିଲେ। ଗିରଫ ପରେ ଜାମିନ ପାଇବାକୁ ପାଣିଗ୍ରାହୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ପାଣିଗ୍ରାହୀଙ୍କୁ ଜାମିନ ଦେବା ସମୟରେ ସୁପ୍ରିମକୋର୍ଟ କେତେକ ସର୍ତ୍ତାବଳୀ ଲାଗୁ କରିଥିଲେ। ସର୍ତ୍ତାବଳୀ ଅନୁଯାୟୀ, ହାଇଟେକ୍‌ ଗ୍ରୁପ ଜମି ଦେବା ଲାଗି ଲୋକମାନଙ୍କଠାରୁ ଯେତିକି ଟଙ୍କା ଆଦାୟ କରିଥିଲେ ସମସ୍ତ ଟଙ୍କାକୁ ଅଦାଲତଙ୍କ ନିକଟରେ ଜମା କରିବେ। ପରେ ହାଇଟେକ୍‌ ଗ୍ରୁପ ପକ୍ଷରୁ ଉପରୋକ୍ତ ପରିମାଣର ଟଙ୍କା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ୨୦୧୬ ଅଗଷ୍ଟ ୫ ରେ ସୁପ୍ରିମକୋର୍ଟ ଉକ୍ତ ଟଙ୍କାକୁ ସ୍ବତନ୍ତ୍ର କୋର୍ଟକୁ ପଠାଇ ଦେଇଥିଲେ। ତେବେ ରାଜ୍ୟ ସରକାରଙ୍କ ଆବେଦନକ୍ରମେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉକ୍ତ ଟଙ୍କାକୁ ଜମାକାରୀଙ୍କୁ ଫେରସ୍ତ ଦେବା ନିମନ୍ତେ ୨୦୧୭ ଜୁଲାଇ ୨୫ରେ ଆଦେଶ ଦେଇଥିଲେ। ସରକାରଙ୍କ ଦ୍ୱାରା ନିଯୁକ୍ତ କଟକ ଅତିରିକ୍ତ ଜିଲାପାଳ ତଥା ସ୍ବତନ୍ତ୍ର ପ୍ରାଧିକୃତ ଅଧିକାରୀ ଏହି ଅର୍ଥକୁ ବାଜ୍ୟାପ୍ତ କରିବାକୁ ସ୍ବତନ୍ତ୍ର କୋର୍ଟରେ ମାମଲା ରୁଜୁ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।