ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ପ୍ରସଙ୍ଗ: ୧ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ

କଟକ ଅଫିସ,୨୨ା୧୦: ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ରହିଥିବା ସମସ୍ୟାର ସମାଧାନ ନେଇ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ପୂର୍ବରୁ ଆସୋସିଏଶନ ପକ୍ଷରୁ କେବଳ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ କରାଯାଇଥିବାବେଳେ ଗତ ୧୪ରେ ସବୁ ଖଣ୍ଡପୀଠଙ୍କ ଅଦାଲତକୁ ବର୍ଜନ କରାଯାଇଥିଲା। ଏହାକୁ ନେଇ ହାଇକୋର୍ଟ ପକ୍ଷରୁ ଅଦାଲତ ଅବମାନନା ମାମଲା ଚାଲୁ ରହିଥିବାବେଳେ ସୋମବାର ବାର୍‌ ଆସୋସିଏଶନର ପୁନର୍ବାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ନଭେମ୍ବର ୧ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ କଟକ ଓ ଏହାର ଆଖପାଖ ଅଞ୍ଚଳରେ ରହିଥିବା ବିଭିନ୍ନ ବାର୍‌ ଆସୋସିଏଶନର ସଭାପତି, ସମ୍ପାଦକ ଏବଂ ଷ୍ଟିଅରିଂ କମିଟିର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟିବା ଲାଗି ଆଲୋଚନା ହେବ ବୋଲି ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ପାଦକ ସଞ୍ଜୟ କୁମାର ଦାସ କହିଛନ୍ତି।