ହାଇକୋର୍ଟରେ ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲା: ଜବାବ ଦାଖଲ ପାଇଁ ମହଲତ ନେଲେ ବିଧାୟକ

କଟକ ଅଫିସ,୧୪ା୯: ବାରବାଟୀ-କଟକ ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାରେ ବିଧାୟକ ମହମ୍ମଦ ମୋକିମ ଶୁକ୍ରବାର ଜବାବ ଦାଖଲ ପାଇଁ ଅଦାଲତଙ୍କଠାରୁ ମହଲତ ନେଇଛନ୍ତି। ତେବେ ଆସନ୍ତା ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଏହା ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ବିଚାରପତି ଜଷ୍ଟିସ ସଙ୍ଗମ ସାହୁଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୬ରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ହାଇକୋର୍ଟରେ ନିର୍ବାଚନକୁ ରଦ୍ଦ କରିବା ନେଇ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଶୁକ୍ରବାର ବିଧାୟକ ମୋକିମଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମାମଲାର ବିବରଣୀରୁ ପ୍ରକାଶ, ଗତ ସାଧାରଣ ନିର୍ବାଚନରେ ବାରବାଟୀ-କଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଜୟୀ ହୋଇଥିଲେ। ତେବେ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସମୟରେ ବିଧାୟକ ମୋକିମ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଏବଂ ନାମାଙ୍କନପତ୍ରରେ ଅନେକ ତଥ୍ୟ ଲୁଚାଇଥିବା ନେଇ ପୂର୍ବତନ ବିଧାୟକ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମୋକିମ ସତ୍ୟପାଠରେ ତାଙ୍କ ବିରୁଦ୍ଧରେ ଥିବା ଆପରାଧିକ ମାମଲା ଏବଂ ସମ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ଲୁଚାଇଥିବା ସାମନ୍ତରାୟ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ନାମାଙ୍କନପତ୍ର ଦାଖଲ କରିବା ପରେ ମୋକିମ ସତ୍ୟପାଠ ଦାଖଲ କରିଥିବା ପୂର୍ବତନ ବିଧାୟକ ସାମନ୍ତରାୟ ଅଭିଯୋଗ କରିବା ସହ ଏହି ନିର୍ବାଚନକୁ ରଦ୍ଦ କରିବା ନେଇ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମିଲନ୍‌ କାନୁନ୍‌ଗୋ ଓ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।