ହାଇକୋର୍ଟରେ ନବୀନ ନିବାସ ବିବାଦ ମାମଲା: ୨ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜସ୍ବ ସଚିବଙ୍କୁ ନିର୍ଦ୍ଦେଶ

କଟକ ଅଫିସ, ୨୦।୮: ନବୀନ ନିବାସକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ସୋମବାର ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଏହାର ଶୁଣାଣି କରି ଆସନ୍ତା ୨ମାସ ମଧ୍ୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ରାଜସ୍ବ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଏ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ୧୯୯୨ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଭୀମପୁର ମୌଜାରେ ଖାତା ନମ୍ବର ୭୪୦ ଓ ପ୍ଲଟ ନମ୍ବର ୧୨୦୦ରୁ ୧୦୦ଡେସିମିଲ ଜମି ଜ୍ଞାନ ପଟ୍ଟନାୟକଙ୍କ ନାମରେ ଅନୁମୋଦନ କରାଯାଇଥିଲା। ମାତ୍ର ୨୦୦୯ରେ ଉକ୍ତ ପ୍ଲଟ୍‌କୁ ଲାଗି ଥିବା ୧୨୦୦, ୧୨୦୧ ଓ ୧୨୨୨ ପ୍ଲଟ୍‌ର ୨ ଏକର ୩୩ ଡେସିମିଲ ଜମି ବେଆଇନ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାମରେ ଦାଖଲ ଖାରଜ (ମ୍ୟୁଟେଶନ) କରାଯାଇଛି, ଯାହା ଗଭର୍ନମେଣ୍ଟ ଗ୍ରାଣ୍ଟସ୍‌ ଆକ୍ଟ-୧୮୯୫କୁ ଉଲ୍ଲଂଘନ କରୁଛି। ଏହାପୂର୍ବରୁ ଆବେଦନକାରୀ ଏ ସମ୍ପର୍କରେ ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ ଓ ରାଜସ୍ବ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ସଂଗ୍ରାମ କେଶରୀ ମିଶ୍ର, ସରୋଜ ପାଢୀ ଓ ତାପସ ଦ୍ୱିବେଦୀ ମାମଲା ପରିଚାଳନା କରୁଛନ୍ତି।