ହସ୍ପିଟାଲ ଆଇସୋଲେଶନରେ ୭୬ କରୋନା ସନ୍ଦିଗ୍ଧ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)- ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ସେହି ୩ରେ ରହିଛି। ତେବେ ଏମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଯୋଗାଯୋଗ କରାଯାଉଛି। ପ୍ରଥମ ୨ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ୫୫ଜଣ ବ୍ୟକ୍ତି ଆସିଥିବାବେଳେ ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଥିବା ଚିହ୍ନଟ କରାଯାଇଛି। ସୋମବାର ସୁଦ୍ଧା ୭୬ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ହସ୍ପିଟାଲ ଆଇସୋଲେଶନରେ ରହିଛନ୍ତି। ଅନ୍ୟପକ୍ଷରେ ସୋମବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୩୭୦ ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି। ଅଧିକ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହନ୍ତି। ସେପଟେ ଅନ୍‌ଲାଇନ୍‌ ଓ ୧୦୪ ମାଧ୍ୟମରେ ଆଜି ପର୍ଯ୍ୟନ୍ତ ମୋଟ ୧୦୨୧୭ ଜଣ ଫେରନ୍ତା ପଞ୍ଜୀକରଣ କରାଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨୯୧ ଜଣ ବିଦେଶରୁ ଓ ୫୯୨୬ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତି ବୋଲି ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି।