ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ: ଅପହରଣ ସନ୍ଦେହ, ଥାନାରେ ଏତଲା

ଦାରିଙ୍ଗବାଡି,୬।୧(ଡି.ଏନ୍‌.ଏ.)-ଦାରିଙ୍ଗବାଡିଠାରେ ଥିବା ରାପଡା ବାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ହଷ୍ଟେଲରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଶୁକ୍ରବାର ବିଳମ୍ବିତରାତି ଠାରୁ ନିଖୋଜ ହୋଇଯାଇଛନ୍ତି। ଘଟଣାଟି ଘଟିବାର ୩୬ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହୋଇଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ। ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ଦାରିଙ୍ଗବାଡି ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନମିଳିବା ପରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନଂ.୩/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି।
ପ୍ରକାଶ ଯେ, ବଡଦିନ ଛୁଟି ପରେ ଛାତ୍ରୀଙ୍କୁ ଶୁକ୍ରବାର ତାଙ୍କ ବାପା ଆଣି ହଷ୍ଟେଲରେ ଛାଡିଥିଲେ। ହଷ୍ଟେଲ ଆସିବା ପରେ ସେ ଉଦାସ ରହୁଥିଲେ। ରାତିରେ ଉପସ୍ଥାନ ପକାଇବାବେଳେ ସମ୍ପୃକ୍ତ ନବମ ଶ୍ରେଣୀ ଛାତ୍ରୀ ନଥିବା ଜଣାପଡିଥିଲା। ପରେ ହଷ୍ଟେଲ କର୍ତ୍ତୃପକ୍ଷ ଖୋଜାଖୋଜିବେଳେ ଏକ ଘରୋଇ ବସ୍‌ରେ ଜଣେ ଝିଅ ଓ ପୁଅ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଖବର ପାଇଥିଲେ। ସେମାନଙ୍କ ପଛେ ପଛେ ଯାଇ ଭୁବନେଶ୍ୱରରେ ପହଞ୍ଚତ୍ବାବେଳେ ସେମାନେ ଓହ୍ଲାଇ କେଉଁଆଡେ ଚାଲି ଯାଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଏନେଇ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଶୁଭଲତା ବଳିଆର ସିଂ କହିଛନ୍ତି ଯେ, ରାତିରେ ଏକ ବଡ ମୂଷା ହଷ୍ଟେଲ ଭିତରକୁ ପଶିଆସିବାରୁ ଛାତ୍ରୀମାନେ ଭୟରେ ଏଣେତେଣେ ଦୌଡିବାବେଳେ ଛାତ୍ରୀ ଜଣକ ହଷ୍ଟେଲ ଛାଡି ଚାଲିଯାଇଥିବା ଅନୁମାନ କରାଯାଉଛି। ଛାତ୍ରୀଙ୍କୁ କେହି ଅପହରଣ କରିଥିବା ଚର୍ଚ୍ଚା ହେଉଛି। କିଭଳି ରାତିରେ ମୁଖ୍ୟ ଫାଟକ ଖୋଲାଥିଲା ଏବଂ ଛାତ୍ରୀ ଜଣକ ହଷ୍ଟେଲରୁ ପଳାଇଲେ ତାହା ସନ୍ଦେହ ସୃଷ୍ଟି କରିଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ବଟକୃଷ୍ଟ ତ୍ରିପାଠୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ।