ହରିରାଜପୁର ମେଳଣରେ ଲାଗିଲା ୧୪୪ ଧାରା

ଡେଲାଙ୍ଗ/ ଜଟଣୀ, ୧୭।୩(ଡି.ଏନ୍‌.ଏ): ମହାମାରୀ କରୋନା ବିଶ୍ୱରେ କାୟା ବିସ୍ତାର ଚଳାଇଥିବାବେଳେ ପ୍ରତିଷେଧକ ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ଓଡ଼ିଶା ପ୍ରସିଦ୍ଧ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ହରିରାଜପୁର ମେଳଣ ମଙ୍ଗଳବାର ଉଦ୍‌ଯାପନୀ ହୋଇଥାନ୍ତା। ଏହି ମେଳଣ ଦେଖିବା ଲାଗି ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥାନ୍ତି। କିନ୍ତୁ ଓଡ଼ିଶାରେ କରୋନା ରୋଗୀ ଚିହ୍ନଟ ହେବାପରେ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ୨ଟା ସମୟରେ ଉକ୍ତ ମେଳଣ ପଡ଼ିଆରେ ୧୪୪ଧାରା ଜାରି କରାଯାଇଛି। ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ, ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ, ହରିରାଜପୁର ଫାଣ୍ଡି ଅଧିକାରୀ ଯୁଗଳ ଚରଣ ପ୍ରଧାନ ସମେତ ୧ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମେଳଣ ପଡିଆକୁ ଜନସାଧାରଣ ନ ଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନ୍ୟପକ୍ଷେ ମେଳଣରେ ପଡ଼ିଆକୁ ଆସିଥିବା ଦୋକାନୀମାନଙ୍କୁ ଦୋକାନ ଉଠାଇ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଭୂତାଣୁଠାରୁ ରକ୍ଷା ପାଇବା ପାଇଁ ଜିଲା ଓ ବ୍ଲକ ପ୍ରସାଶନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗୁ ଜନସାଧାରଣ ପ୍ରସାଶନିକ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି।