ହନୁମତିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ: ତଳମୁଣ୍ଡକୁ ପାଣି ଆସୁନି, ଚାଷୀ ହନ୍ତସନ୍ତ

ତେଲକୋଇ, ୨୫ା୧(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ହନୁମତିଆ କ୍ଷୁଦ୍ର ଜଳ ସେଚନ (ଡିମିରିଆ)ପ୍ରକଳ୍ପରୁ ତଳ ମୁଣ୍ଡକୁ ଜଳ ଯୋଗାଣ ହୋଇପାରୁନାହିଁ । ଏଥିଯୋଗୁ ସୂର୍ଯ୍ୟମୁଖି, ଆକୁଳ ମକା, ଶୋରିସ ଓ ଚିନାବାଦାମ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହା ମଧ୍ୟରେ ପାଣି ପମ୍ପ ଦ୍ୱାରା ଚାଷୀଙ୍କୁ ଆବଶ୍ୟକ ପାଣି ଯୋଗାଣ ପାଇଁ ପାଣିପକ୍ଷ କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ରବି ଫସଲ ନଷ୍ଟ ହେଉଥିବା ନେଇ ଶୁକ୍ରବାର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି କ୍ଷୁଦ୍ର ଜଳସେଚନ ମାଧ୍ୟମରେ ରବି ଫସଲ ପାଇଁ ଡିମିରିଆ ଜଟ ଓ ହାଲପୋଡି ଚାଷୀମାନଙ୍କର ଆବଶ୍ୟକ ଜଳସେଚନ କରା ନ ଗଲେ ରବି ଫସଲ ସମ୍ପୂର୍ଣ୍ଣ ଉଜୁଡି ଯିବା ନେଇ ସେମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି। ପର୍ଯ୍ୟାପ୍ତ ପାଣି ହନୁମତିଆ ଜଳ ପ୍ରକଳ୍ପରେ ରହିଥିବା ସତ୍ତ୍ୱେ ଆବଶ୍ୟକ ପାଣି ଯୋଗାଣ ହୋଇପାରୁ ନ ଥିବା ହାଲପୋଡି ଗ୍ରାମର ଚାଷୀ ଡିଲେଶ୍ୱର କହିଛନ୍ତି। ସେହିପରି ଏହି ଜଳ ପ୍ରକଳ୍ପରୁ ୩ହଜାର ଚାଷୀ କ୍ଷତି ହେବା ଆଶଙ୍କା କରିଛନ୍ତି । ଏ ସମ୍ବନ୍ଧରେ ଜଳସେଚନ ବିଭାଗର ଏସ୍‌ଡିଓ ଡି. ସୁଧାକରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପର୍ଯ୍ୟାୟକ୍ରମେ ସମ୍ପୃକ୍ତ ଚାଷୀଙ୍କ ରବି ଫସଲ ପାଇଁ ଜଳଯୋଗାଣ ହୋଇପାରିବ ।