ହନିମୁନ୍‌ରେ ଯାଇ କୁଆଲାଲମ୍ପୁର ବିମାନବନ୍ଦରରେ ଫସିଲେ ଦମ୍ପତି: ଫେରିବା ପାଇଁ ସରକାରଙ୍କୁ ନିବେଦନ

ନବରଙ୍ଗପୁର,୧୯ା୩(ବି.ପ୍ର.): କରୋନା ଭାଇରସ୍‌ ରୋକିବା ପାଇଁ ସବୁଆଡ଼େ କଟକଣା ଲାଗୁ ହୋଇଛି। ଏଥିପାଇଁ ସ୍କୁଲ, କଲେଜ, ମଲ୍‌ ଆଦିକୁ ସାମୟିକ ବନ୍ଦ କରାଯାଇଥିବା ବେଳେ ଅଧିକାଂଶ ଟ୍ରେନ୍‌ ଓ ଫ୍ଲାଇଟ୍‌ ସେବାକୁ ବନ୍ଦ ରଖାଯାଇଛି। ଏ ନେଇ ନବରଙ୍ଗପୁର ସହରର ଏକ ଦମ୍ପତି ହନିମୁନ୍‌ରେ ଯାଇଥିଲା ବେଳେ କୁଆଲାଲମ୍ପୁର ବିମାନ ବନ୍ଦରରେ ଫସି ରହିଛନ୍ତି। ଘରକୁ ଫେରିବା ପାଇଁ ସେମାନେ ହ୍ବାଟ୍‌ସଆପ୍‌ରେ ଏକ ଭିଡିଓ ପଠାଇ ସରକାରଙ୍କୁ ନିବେଦନ କରିଛନ୍ତି l
ନବରଙ୍ଗପୁର ସହର ଅନ୍ତର୍ଗତ ଇଚ୍ଛାବତୀଗୁଡାର ଗୁପ୍ତେଶ୍ୱର ମିଶ୍ରଙ୍କ ଝିଅ ପଲ୍ଲବୀ ଫେବୃୟାରୀ ୨୬ରେ ସେହି ସାହିର ପରିମଳ ହାଲ୍‌ଦାରଙ୍କ ପୁଅ ଶଙ୍କରଙ୍କୁ ବିବାହ କରିଥିଲେ। ସେମାନେ ଗତ ୧୨ ତାରିଖରେ ହନିମୁନ୍‌ରେ ମାଲେସିଆ ଯାଇଥିଲେ। ୧୭ ତାରିଖରେ ସେମାନେ ଫେରିବାର ଥିଲା। ମାତ୍ର ଫ୍ଲାଇଟ୍‌ ସେବା ବନ୍ଦ ହୋଇଯାଇଥିବାରୁ ସେମାନେ ଫେରିପାରି ନାହାନ୍ତି। ଏ ନେଇ ଓଡ଼ିଶା ସରକାର ଓ ଭାରତ ସରକାରଙ୍କୁ ଦମ୍ପତି ଏକ ଭିଡିଓ କରି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି l