ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ

ଖଲ୍ଲିକୋଟ,୧୮ା୧୨ (ଡି.ଏନ.ଏ.)-ଏକ ହତ୍ୟା ମାମଲାର ବିଚାର କରି ଖଲ୍ଲିକୋଟ ଏଡିଜେ (ଆଡିସନାଲ ଡିଷ୍ଟ୍ରିକ୍ଟ ଜଜ୍‌) ଶ୍ରୀନିବାସ ପ୍ରତିହାରୀ ମଙ୍ଗଳବାର ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକା ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ଖଲ୍ଲିକୋଟ ବ୍ଲକ ମଥୁରା ଗ୍ରାମରେ ୨୦୦୭ରେ ପାରିବାରିକ କଳହ ଯୋଗୁ ସୂର୍ଯ୍ୟମଣି ତରେଇ ତାଙ୍କ ବଡ଼ଭାଇ ଯୋଗେନ୍ଦ୍ରଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ଏନେଇ ଯୋଗେନ୍ଦ୍ରଙ୍କ ସ୍ତ୍ରୀ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ। ନଂ.୮୦/୨୦୦୭ରେ ମାମଲା ରୁଜୁ କରି ପୋଲିସ ସୂର୍ଯ୍ୟମଣିଙ୍କୁ କୋର୍ଟଚାଲାଣ କରିଥିଲା। ମଙ୍ଗଳବାର ଉକ୍ତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି ଏବଂ ଦୋଷୀକୁ ଆଜୀବନ କାରାଦଣ୍ଡ ହୋଇଛି।