ହଟିଲା ହୋର୍ଡିଂ, ଭାଙ୍ଗିଲା ୪୦ ଦୋକାନ

ଭୁବନେଶ୍ୱର, ୧୧ା୨ (ବ୍ୟୁରୋ): ବିଗତ କିଛି ମାସ ହେବ ଭୁବନେଶ୍ୱରରେ ଜବରଦଖଲ ଉଚ୍ଛେଦ ଜୋର୍‌ଦାର ଚାଲିଛି। ସହରକୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ ଲକ୍ଷ୍ୟ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ କମିଶନରେଟ ପୋଲିସର ମିଳିତ ଟିମ୍‌ ପକ୍ଷରୁ ସୋମବାର ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିଟ୍‌ ରାସ୍ତାର ଦୁଇ ପାର୍ଶ୍ୱରୁ ଜବରଦଖଲ ହଟିଛି। ମିଳିତ ଟିମ୍‌ ପକ୍ଷରୁ ୨୮ଟିଣ ଓ ଛାତ ଦୋକାନ ସହ ୧୨ ଖାଇବା ଦୋକାନ, ୧୦ ପାଚେରୀକୁ ଭାଙ୍ଗି ଦିଆଯାଇଥିବାବେଳେ ୫ ସିମେଣ୍ଟ ଖୁଣ୍ଟି, ୪ ର଼୍ୟାମ୍ପ, ୧୪ ହୋର୍ଡିଂ ଓ ସାଇନ ବୋର୍ଡକୁ ହଟାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଦିନକୁଦିନ ଉକ୍ତ ରାସ୍ତାକୁ ଉଠା ଦେକାନୀ ଓ ଅସ୍ଥାୟୀ ଦେକାନୀମାନେ କବ୍‌ଜା କରି ବ୍ୟବସାୟ କରୁଛନ୍ତି। ଫଳରେ ଗାଡି ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଏନେଇ ଅଭିଯୋଗ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଉଚ୍ଛେଦରେ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ କୁମାର ପାତ୍ର, ଯୋଗସୂତ୍ର ଅଧିକାରୀ ଶୁଭ୍ରାଶୁଂ ଶେଖର ମହାନ୍ତି, ଏସିପି ପ୍ରକାଶ ଚନ୍ଦ୍ର ପାଲ, ଇନ୍‌ଫୋସିଟି ଥାନା ଅଧିକାରୀ ବିଶ୍ୱଜିତ୍‌ ମହାନ୍ତିଙ୍କ ସମେତ ବିଏମ୍‌ସିର ୧, ୩, ୪ ନମ୍ବର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।