ହଜିଗଲାଣି ମଣିଷପଣିଆ: କାର୍‌ ଡିକିରେ ବାପାଙ୍କ ମୃତଦେହ ସ୍ବର୍ଗଦ୍ୱାର ଆଣିଲେ ପୁଅ

ପୁରୀ ଅଫିସ, ୨।୨: ମୃତଦେହକୁ ମଶାଣି ପର୍ଯ୍ୟନ୍ତ ନେବା ପାଇଁ ଲୋଡ଼ା ହେଉଥିଲା ଛ’ ଖଣ୍ଡ କାଠ। କାନ୍ଦ ବୋବାଳିରେ ଫାଟି ପଡୁଥିଲା ଘରଦ୍ୱାର। ସାହିଭାଇ କୋକେଇ କାନ୍ଧେଇ ମଶାଣି ଅଭିମୁଖେ ଚାଲୁଥିଲେ। ଏବେ ସେ ଦୃଶ୍ୟ ଆଗଭଳି ଆଉ ଏତେମାତ୍ରାରେ ଦେଖିବାକୁ ମିଳୁ ନାହିଁ। ଆମ୍ବୁଲାନ୍ସ, ସ୍ବର୍ଗସବାରି ଭଳି ଗାଡ଼ିରେ ସତ୍କାର ପାଇଁ ମୃତଦେହକୁ ନିଆଯାଉଛି। କିନ୍ତୁ ଶନିବାର ପୁରୀ ସ୍ବର୍ଗଦ୍ୱାରରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଆଜିର ସଭ୍ୟ ସମାଜକୁ ଲଜ୍ଜିତ କରିବା ଭଳି। ଜଣେ ବ୍ୟକ୍ତି ତାଙ୍କ ବାପାଙ୍କ ମରଶରୀରକୁ କାର୍‌ ଡିକିରେ ପୂରାଇ ଅସମ୍ମାନିତ ଢଙ୍ଗରେ ସତ୍କାର ପାଇଁ ଆଣିଥିଲେ। ଏହି ଘଟଣା ଦେଖିବା ପରେ ମଣିଷ ଭିତରେ ମାନବିକତା ମରିଗଲାଣି ଆଉ ମଣିଷପଣିଆ ହଜିଗଲାଣି ବୋଲି ସ୍ପଷ୍ଟ ହୋଇଛି।

ମା’ ବାପାଙ୍କ ସ୍ଥାନ ସର୍ବଦା ସ୍ବତନ୍ତ୍ର। ମୁଣ୍ଡଝାଳ ତୁଣ୍ଡରେ ମାରି ପିଲାମାନଙ୍କୁ ମଣିଷ କରିବା ଲାଗି ମା’, ବାପା ନିଜର ସୁଖସ୍ବାଚ୍ଛନ୍ଦ୍ୟକୁ ପାସୋରି ଦିଅନ୍ତି। ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେମାନେ ନିଜ ଦୁଃଖକୁ ନେଇ ଗୁମୁରି କାନ୍ଦନ୍ତି। କିନ୍ତୁ ମୁଣ୍ଡକୁ ହାତ ପାଇଗଲା ପରେ ଅନେକ ପିଲା ମା’ ବାପାଙ୍କ ପ୍ରତି ସେମାନଙ୍କ କର୍ତ୍ତବ୍ୟ ଭୁଲିଯାନ୍ତି। କେହି କେହି ନିଜ ମା’ ବାପାଙ୍କୁ ପରିଣତ ବୟସରେ ବୋଝ ଭାବି ଘରୁ ତଡ଼ିଦିଅନ୍ତି ତ ପୁଣି କାହାର ଶେଷ ଠିକଣା ପାଲଟେ ଜରାଶ୍ରମ। ଏମିତି ଲାଞ୍ଛିତ ମା’ ବାପାଙ୍କ ଉଦାହରଣ ଆଜିର ସଭ୍ୟ ସମାଜରେ ବେଶ୍‌ ଲମ୍ବା। ସେହିଭଳି ଏକ ଦୃଶ୍ୟ ଶନିବାର ସ୍ବର୍ଗଦ୍ୱାରରେ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଏକ କାର୍‌ ପହଞ୍ଚତ୍ଥିଲା ସ୍ବଗଦ୍ୱାର ସମ୍ମୁଖ ରାସ୍ତାରେ। କଟକରୁ ଆସିଥିବା ଏହି କାର୍‌ ପଛ ଡିକିରେ ଜଣେ ବୃଦ୍ଧଙ୍କ ମୃତଦେହ ମୋଡ଼ିିମାଡ଼ି ରଖାଯାଇଥିଲା। ନିଜ ପିତାଙ୍କ ଅନ୍ତିମ ସତ୍କାର କରିବା ଲାଗି ପୁଅ ଏବଂ ସମ୍ପର୍କୀୟମାନେ ଏମିତି ଢଙ୍ଗରେ ମୃତଦେହ ଆଣିଥିଲେ ସ୍ବର୍ଗଦ୍ୱାର। ତାଙ୍କ ବେକରେ ଗେଣ୍ଡୁହାର ପକାଯାଇଥିବାବେଳେ ସେ ଉପରକୁ ମୁହଁ କରିଥିଲେ। ଯିଏ ଏହି ଦୃଶ୍ୟ ଦେଖୁଥିଲେ ସେ ମୁଣ୍ଡରେ ହାତ ଦେଉଥିଲେ। କ’ଣ ହୋଇଗଲା ଆଜିର ଯୁଗ ବୋଲି କହି ଅନ୍ୟମାନେ ହତୋତ୍ସାହିତ ହୋଇପଡୁଥିଲେ। ଯଦି ଗାଡ଼ିିଟିଏ କରି ଆଣିବାର ନ ଥିଲା ତେବେ ସ୍ବର୍ଗଦ୍ୱାର ଆଣୁଥିଲେ କାହିଁକି, ବରଂ ଗଁା ଶ୍ମଶାନରେ ଦାହ କରିଦେବା ଉଚିତ ଥିଲା ବୋଲି ଲୋକେ ପରସ୍ପର ମଧ୍ୟରେ କୁହାକୁହି ହେଉଥିଲେ।