ହକି ବିଶ୍ୱକପ୍‌ ଖର୍ଚ୍ଚର ପ୍ରାଥମିକ ହିସାବ: ୮୨.୫ କୋଟିରୁ ୫୯ କୋଟିର ହିସାବ ଆସିଛି

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଓଡ଼ିଶାରେ ଗତବର୍ଷ ହୋଇଥିବା ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର ୮୨.୫ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥିମଧ୍ୟରୁ ୫୯.୫୯ କୋଟି ଟଙ୍କାର ହିସାବ ସାମ୍ନାକୁ ଆସିଛି। ୨୫ କୋଟି ଟଙ୍କା କେବଳ ବିଶ୍ୱକପର ଆୟୋଜକ, ଅନ୍ତର୍ଜାତୀୟ ହକି ପରିଷଦ(ଏଫ୍‌ଆଇଏଚ୍‌) ଏବଂ ହକି ଇଣ୍ଡିଆକୁ ପ୍ରଦାନ କରାଯାଇଥିଲା। ଗଣମାଧ୍ୟମ ଏବଂ ପ୍ରଚାର ପ୍ରସାର ପାଇଁ ୯.୨୩କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରାଥମିକ ଖର୍ଚ୍ଚ ହିସାବରୁ ଜଣାପଡିଛି, ସମଗ୍ର ବିଶ୍ୱକପ୍‌ର ପରିଚାଳନା ପାଇଁ ୬.୯୪କୋଟି ଟଙ୍କା, କଳିଙ୍ଗ ଷ୍ଟାଡିୟମ ବାବଦରେ ୬.୫୪କୋଟି ଏବଂ ଖେଳାଳି ଓ ସହାୟକମାନଙ୍କ ପରିବହନ ବାବଦରେ ୩.୭୩କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଦେଶ ଏବଂ ଦେଶ ବାହାରେ ହକି ବିଶ୍ୱକପ୍‌ର ପ୍ରଚାର ଲାଗି ୧.୫କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି କ୍ରୀଡ଼ା ମହାକୁମ୍ଭ ଚାଲିଥିବା ବେଳେ ଯୋଗଦେଇଥିବା ବିଭିନ୍ନ ଖେଳାଳି ଏବଂ ଅତିଥିମାନଙ୍କ ରହଣି ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧.୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ବିଶ୍ୱକପ୍‌ର ପ୍ରକଳ୍ପ ପରିଚାଳନା ବାବଦକୁ ୨.୧୮ କୋଟି ଟଙ୍କା, ୮୮.୯୬ଲକ୍ଷ ଟଙ୍କା ବୈଧାନିକ ଖର୍ଚ୍ଚ ଏବଂ ୨.୫୦କୋଟି ଟଙ୍କା ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ ହୋଇଛି। ଏହାସହ ଆହୁରି କେତେ ଖର୍ଚ୍ଚ ହିସାବ କରାଯାଇ ନ ଥିବା ସରକାରୀ ସ୍ତରରୁ ଜଣାପଡିଛି। ଏହି ବିଶ୍ୱକପ୍‌ ସମୟରେ ଆୟୋଜନ କରାଯାଇଥିବା ଉଦ୍‌ଘାଟନୀ ଉତ୍ସବ ପାଇଁ ହକି ଇଣ୍ଡିଆ ପକ୍ଷରୁ ଖର୍ଚ୍ଚ କରାଯାଇଥିଲା। ଏହି ବିଶ୍ୱକପ୍‌ ଗତବର୍ଷ ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟ ସରକାର ବିଧାନସଭା ଅଧିବେଶନରେ ଏ ସମ୍ବନ୍ଧରେ ଉତ୍ତର ରଖି ନ ଥିବା ବେଳେ ଆର୍‌ଟିଆଇ(ସୂଚନା ଅଧିକାର ଆଇନ) ଦ୍ୱାରା ତଥ୍ୟ ମଗାଗଲେ ମଧ୍ୟ ମିଳୁ ନ ଥିବା ଜଣାପଡିଛି। ଅପରପକ୍ଷରେ ବିରୋଧୀ ଏବଂ ସୂଚନା ଅଧିକାରୀ କର୍ମୀଙ୍କ ପକ୍ଷରୁ ହକି ବିଶ୍ୱକପ୍‌ ଆୟୋଜନରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଉଛି।