ସ୍ୟାଣ୍ଡ ଆନିମେଶନ୍‌ରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସୁଦର୍ଶନଙ୍କ ବାର୍ତ୍ତା: ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନା ମହାମାରୀର ମୁକାବିଲା ପାଇଁ ସଚେତନ ହେବା ଆବଶ୍ୟକ। ଏହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଉଛି। ବିଶେଷକରି ପରିବାରର ବୟସ୍କ ସଦସ୍ୟଙ୍କ ଯତ୍ନ ନେବା, ଲକ୍‌ଡାଉନ୍‌ ସମୟରେ ସାମାଜିକ ଦୂରତ୍ୱ ପାଳନ କରିବା, ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା, ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଗ୍ରହଣ କରିବା, ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ କରି ବ୍ୟବହାର କରିବା, ଗରିବ ତଥା ଅସହାୟଙ୍କୁ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ଦେଇଥିଲେ। ଏହି ବିଷୟବସ୍ତୁକୁ ନେଇ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୟାଣ୍ଡ ଆନିମେଶନ୍‌ ପ୍ରସ୍ତୁତ କରିଥିଲେ। ସେହିଭଳି ଆନିମେଶନରେ ସୁଦର୍ଶନ ଡାକ୍ତର, ପୋଲିସ, ପରିମଳ କର୍ମଚାରୀ ଆଦି କରୋନା ଯୋଦ୍ଧାଙ୍କ ସମର୍ଥନରେ ସେ ବାର୍ତ୍ତା ଦେଇଥିଲେ। ଉକ୍ତ ଭିଡିଓକୁ ସେ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଥିଲେ। ଶୁକ୍ରବାର ଉକ୍ତ ଟୁଇଟ୍‌କୁ ରିଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ସୁଦର୍ଶନଙ୍କ ପ୍ରଶଂସା କରିଛନ୍ତି। ଲୋକମାନଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଲାଗି ଏହା ଅଭିନବ ଉପାୟ ବୋଲି ମୋଦି କହିଥିଲେ। ପରେ ସୁଦର୍ଶନ ଏଥିଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ତାଙ୍କୁ ଅନୁପ୍ରାଣୀତ କରିବ ବୋଲି ସେ କହିଛନ୍ତି।