ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମିଳିଲାନି ରହିତାଦେଶ; କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୮ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଗେଜେଟ୍‌ ନୋଟିଫିକେଶନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଓ ଜଷ୍ଟିସ୍‌ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ଗେଜେଟ୍‌ ନୋଟିଫିକେଶନ ଉପରେ ରହିତାଦେଶ ଜାରି କରିବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ହାଇକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୫ରେ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏହି ନୋଟିଫିକେଶନକୁ ଚ୍ୟାଲେଞ୍ଜ କରି କଟକ ସ୍ୟାଟ୍‌ ବାର ଆସୋସିଏଶନ ପକ୍ଷରୁ ହାଇକୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ସେହିପରି ଗୁରୁବାର ଓଡ଼ିଶା ଟ୍ରିବ୍ୟୁନାଲ କୋର୍ଟ ବାର ଆସୋସିଏଶନ କଟକ ଓ ଭୁବନେଶ୍ୱର ପକ୍ଷରୁ ହୋଇଥିବା ଅନ୍ୟଏକ ମାମଲାର ଶୁଣାଣି ହେବ।
ଓଡ଼ିଶା ଟ୍ରିବ୍ୟୁନାଲ କୋର୍ଟ ବାର ଆସୋସିଏଶନ ପକ୍ଷରୁ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଏହି ଗେଜେଟ୍‌ ନୋଟିଫିକେଶନ୍‌କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି, ହାଇକୋର୍ଟରେ ସ୍ୟାଟ୍‌ ଉଚ୍ଛେଦ ନେଇ ମାମଲା ବିଚାରାଧୀନ ରହିଛି। ମାତ୍ର ମାମଲାର ଶୁଣାଣି ଶେଷ ହୋଇ ନ ଥିବାବେଳେ କେନ୍ଦ୍ର ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହା ବେଆଇନ। ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କର ଏହି ବ୍ୟବସ୍ଥା ଉଚ୍ଛେଦ କରିବାର କ୍ଷମତା ନାହିଁ। କେବଳ ପାର୍ଲାମେଣ୍ଟର ଉଚ୍ଛେଦ କ୍ଷମତା ରହିଛି। ତେଣୁ କେନ୍ଦ୍ର ସରକାରଙ୍କ ଏହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଆବେଦନକାରୀ ଦର୍ଶାଇଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର, ପର୍ସୋନେଲ ପବ୍ଲିକେଶନ ଗ୍ରୀଭାନ୍ସ, ପେନସନ ମନ୍ତ୍ରଣାଳୟ ଏବଂ ରାଜ୍ୟସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।