ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ; ବନ୍ଦ ପାଳନ କରିବନି କଂଗ୍ରେସ: ନିରଞ୍ଜନ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ତଥା ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ବ୍ୟତୀତ ଅନ୍ୟ ୩ଜଣ ବିଜେଡି ନେତା ସେଠାରେ ଉପସ୍ଥିତ ଥିଲେ। ଏପରିକି ଏକ ସିମେଣ୍ଟ କମ୍ପାନୀର ଜଣେ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଘଟଣାରେ ପୋଲିସ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ରୂପେଶଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୪ ଜଣଙ୍କୁ କ’ଣ ପାଇଁ ଗିରଫ କଲାନାହିଁ। ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଇନାହିଁ କିମ୍ବା ସେମାନଙ୍କୁ ପଚରାଉଚରା କରାଯାଇନାହିଁ। ଏହି ସମୟରେ ମୃତକ ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ବିଶ୍ୱାଳ ଏବଂ ଭାରତୀୟ ସେନାରେ କାର୍ଯ୍ୟରତ ତାଙ୍କର ୨ଭାଇଙ୍କୁ ଘଣ୍ଟା ଘଣ୍ଟା ଧରି କେଉଁ ତଦନ୍ତ ପରିସର ଭିତରେ ଅନ୍ତର୍ଭୁକ୍ତ କରାଯାଇଥିଲା ବୋଲି ଭାଜପା ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସୋମବାର ପ୍ରଶ୍ନ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ଯେଉଁ ଗେଷ୍ଟ ହାଉସରେ ଏଭଳି ଘଟଣା ଘଟିଛି ସେହି ଘରକୁ ଏପଯର୍‌ୟନ୍ତ ସିଲ୍‌ କରାଯାଇନାହିଁ। ସେହିପରି ମରଶରୀର ବୁହା ହୋଇଥିବା ସ୍କର୍ପିଓ ଗାଡିକୁ ପୋଲିସ ଜବତ କରିନାହିଁ। ଏହି ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ହାତ ରହିଥିବା ଜଣାପଡୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଥିରେ ସମ୍ପୃକ୍ତ ଦୋଷୀଙ୍କୁ ପୋଲିସ ଜେରା କରିବା ପରିବର୍ତ୍ତେ ସ୍ମିତାରାଣୀଙ୍କ ପରିବାର ଲୋକଙ୍କୁ ଜେରା କରିବା ବାହାନାରେ ତଦନ୍ତ ବାଟମାରଣା କରାଯାଉଛି ବୋଲି ଲେଖାଶ୍ରୀ କହିଛନ୍ତି। ଅନ୍ୟପଟେ ଏହି ଘଟଣାରେ ଭାଜପା ଉପରେ ବର୍ଷିଛି କଂଗ୍ରେସ। ଅପରପକ୍ଷରେ ଘଟଣାକୁ ନେଇ ଭାଜପା ରାଜନୀତି କରୁଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେ ଆହୁରି କହିଛନ୍ତି, କଂଗ୍ରେସ ବନ୍ଦ ଡାକରା ଦେବନାହିଁ। ବନ୍ଦ ଡାକରାକୁ ନେଇ ପ୍ରତିଯୋଗିତା ହେବା ଠିକ୍‌ ନୁହେଁ। ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ। ଏସ୍‌ପି ଏହି ଘଟଣାକୁ ନେଇ ଯେଉଁ ବୟାନ ରଖିଛନ୍ତି ସେଥିରୁ ବହୁ ଲୋକଙ୍କ ଉପରେ ସନ୍ଦେହ ହେଉଛି। ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ଗେଷ୍ଟହାଉସକୁ ରାମ୍‌କୋ ସିମେଣ୍ଟ କମ୍ପାନୀ ଭଡାରେ ନେଇଥିବା କହୁଛନ୍ତି। ତେବେ ସେହି ଗେଷ୍ଟ ହାଉସଟି କାହାର। ସ୍ମିତାରାଣୀ ଆତ୍ମହତ୍ୟା କରିବାକୁ ସେହି ସ୍ଥାନ କ’ଣ ପାଇଁ ବାଛିଲେ। ସେଠାରେ କ’ଣ ହୋଇଥିଲା, ଯେଉଁଥିଲାଗି ସେ ସେଠାରେ ଆତ୍ମହତ୍ୟା କରିବାକୁ ଠିକ୍‌ ଭାବିଲେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।