ସ୍ବେଚ୍ଛାସେବୀଙ୍କୁ ପୋଲିସର ଦୁର୍ବ୍ୟବହାର, ଜିଲାପାଳ, ଏସ୍‌ପିଙ୍କୁ ଫେରାଦ

ବରଗଡ଼ ଅପିସ୍‌, ୧ା୫ – କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏଭଳିସ୍ଥଳେ ଗରୀବ, ଅସହାୟଙ୍କ ଜୀବନଯାପନ ଦୁର୍ବିସହ ହୋଇ ପଡ଼ିଛି। ଏଭଳି ବିପର୍ଯ୍ୟୟ ସମୟରେ ବିଭିନ୍ନ ସାମାଜିକ ସଂଗଠନର ସ୍ବେଚ୍ଛାସେବୀମାନେ ଜଣେ ଲେଖାଏ କରୋନା ଯୋଦ୍ଧା ପାଲଟିଛନ୍ତି । ନିଜ ଜୀବନକୁ ବାଜି ଲଗାଇ ସେମାନେ ନିଜ ଖର୍ଚ୍ଚରେ ଅସହାୟ ଲୋକଙ୍କୁ ଖୋଜି ଆହାର ଯୋଗାଇ ଦେଉଛନ୍ତି। ଏଭଳି ରନ୍ଧାଖାଦ୍ୟ ଯୋଗାଇବାକୁ ଯାଉଥିବା ବାଟରେ ବରଗଡ଼ ବ୍ଲକ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନଙ୍କୁ ସ୍ଥାନୀୟ ଭଟଲି ରୋଡ୍‌ ଛକରେ ଜଣେ ପୋଲିସ ଅଟକାଇ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଥିସହିତ ରନ୍ଧାଖାଦ୍ୟ ରହିଥିବା ଅଟୋ ସମ୍ମୁଖକୁ ବାଡ଼େଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ସଂକଳ୍ପ ପରିବାର ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଭ୍ୟମାନେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଏସପି ପଦ୍ମିନୀ ସାହୁଙ୍କୁ ଭେଟିଛନ୍ତି । ସେହି ଘଟଣାର ତଦନ୍ତ କରାଯିବ ବୋଲି ଜିଲାପାଳ, ଏସପି କହିଥିଲେ। ସେଥିରେ ହତୋତ୍ସାହିତ ହୋଇ ନପଡ଼ି ଅସହାୟଙ୍କ ପ୍ରତି ସେବା ମନୋଭାବ ଜାରି ରଖିବାକୁ ସେ ସ୍ବେଚ୍ଛାସେବୀଙ୍କୁ ପରାମର୍ଶ ଦେଇଛନ୍ତି ।