ସ୍ବାସ୍ଥ୍ୟ ବିଭାଗକୁ ରୋଗୀ ସୁରକ୍ଷା ଚିନ୍ତା: ଝରକାରେ ତାରଜାଲି ଲଗାଇବାକୁ ଚିଠି

ଢେଙ୍କାନାଳ ଅଫିସ, ୧୯।୫- ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରୁ ଡେଇଁ ବର୍ଷକ ମଧ୍ୟରେ ୨ଜଣ ରୋଗୀ ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଜିଲାବାସୀଙ୍କ ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର ଏହି ଡାକ୍ତରଖାନାରେ ରୋଗୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ପଦାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା। ଚାରିଆଡ଼ୁ ନିନ୍ଦିତ ହେବା ପରେ ଏ ନେଇ ଚେତିଛନ୍ତି ଚିକିତ୍ସାଳୟ କର୍ତ୍ତୃପକ୍ଷ। ଝରକାଗୁଡ଼ିକରେ ତୁରନ୍ତ ତାରଜାଲି ଲଗାଇବା ପାଇଁ ଶନିବାର ଚିଠି ମାଧ୍ୟମରେ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି।
ଶୁକ୍ରବାର ଟୁନା ବେହେରା ନାମକ ଜଣେ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରର ୬ଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିବା ପରେ ଶନିବାର ସ୍ବାସ୍ଥ୍ୟ ବିଭାଗର ପଦାଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି, ଯେଉଁଥିରେ ଚିକିତ୍ସାଳୟରେ ରୋଗୀ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଚିକିତ୍ସାଳୟରେ କାର୍ଯ୍ୟରତ ୧୮ଜଣ ସୁରକ୍ଷାକର୍ମୀଙ୍କୁ ଡକାଇ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ତାଗିଦ୍‌ କରାଯାଇଛି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରଞ୍ଜନ ମିଶ୍ର କୁହନ୍ତି, ରୋଗୀ ଆତ୍ମହତ୍ୟା ଘଟଣା ପରେ ଝରକାଗୁଡ଼ିକରେ ତାରଜାଲି ଲଗାଇବା ପାଇଁ ପୂର୍ତ୍ତ ବିଭାଗକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଦାୟିତ୍ୱର ସହ କର୍ତ୍ତବ୍ୟ ପାଳନ କରିବାକୁ ସୁରକ୍ଷା କର୍ମଚାରୀଙ୍କୁ ତାଗିଦ୍‌ କରାଯାଇଛି। ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ହେତୁ ତ୍ୱରିତ କାର୍ଯ୍ୟପନ୍ଥା ଗ୍ରହଣ କରିବା ସମ୍ଭବ ହେଉନାହିଁ। ଆଚରଣବିଧି ଉଠିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାକୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।