ସ୍ବାସ୍ଥ୍ୟସେବା ଲାଗି ୬୯ ହଜାର କୋଟି

ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶନିବାର ସ୍ବାସ୍ଥ୍ୟସେବାର ବିକାଶ ଲାଗି ମୋଟ ୬୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗି ବଜେଟରେ ୬,୪୦୦ କୋଟି ଟଙ୍କା ରହିଛି। ଏଥିରେ ୨୦ ହଜାର ହସ୍ପିଟାଲ ସାମିଲ ହୋଇଥିବାବେଳେ ଗରିବ ଓ ଅବହେଳିତଙ୍କ ଚିକିତ୍ସାକୁ ଅଧିକ ପ୍ରାଧାନ୍ୟ ଦିଆଯିବ ବୋଲି ସୀତାରାମନ୍‌ ପ୍ରକାଶ କରିଛନ୍ତି। ଘରୋଇ ଓ ସରକାରୀ ଭାଗୀଦାରିତାରେ ହସ୍ପିଟାଲ ନିର୍ମାଣ କରାଯିବା ସହ ଆବଶ୍ୟକ ଜିଲା ତଥା ଆୟୁଷ୍ମାନ୍‌ ଭାରତ ଯୋଜନାର ସୁଫଳ ପାଉ ନ ଥିବା ଅଞ୍ଚଳକୁ ପ୍ରଥମେ ଏଥିରେ ଯୋଡ଼ାଯିବ। ଏହା ଯୁବପିଢ଼ିଙ୍କ ଲାଗି ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିବ। ‘ଟିବି ହାରିବ ଓ ଦେଶ ବଞ୍ଚିବ’ କ୍ୟାମ୍ପେନ୍‌ ଜୋର୍‌ଦାର କରାଯିବ ବୋଲି ଅର୍ଥମନ୍ତ୍ରୀ ସୀତାରାମନ୍‌ ପ୍ରକାଶ କରିଛନ୍ତି। ୨୦୨୫ ସୁଦ୍ଧା ଟିବିକୁ ସମ୍ପୂର୍ଣ୍ଣ ନିର୍ମୂଳ କରାଯିବ। ଏଥିସହ ଜନଔଷଧୀ କେନ୍ଦ୍ର ଯୋଜନାରେ ସବୁ ଜିଲାକୁ ଯୋଡ଼ାଯିବ ବୋଲି ସେ କହିଛନ୍ତି। ୨୦୨୪ ସୁଦ୍ଧା ସବୁ ଜିଲାକୁ ୨ ହଜାର ମେଡିସିନ, ୩୦୦ ସର୍ଜିକାଲ୍ସ ପ୍ରଦାନ କରାଯିବାକୁ ଯୋଜନା ରହିଥିବା ବଜେଟରେ ଘୋଷଣା କରାଯାଇଛି। ଜନସାଧାରଣ କିପରି ସ୍ବଳ୍ପ ମୂଲ୍ୟରେ ଔଷଧ ପାଇବେ ତାକୁ ଗୁରୁତ୍ୱ ଦିଆଯିବ। ସ୍ବାସ୍ଥ୍ୟ ସରଞ୍ଜାମ ଆମଦାନି କ୍ଷେତ୍ରରେ ସ୍ବଳ୍ପ ସ୍ବାସ୍ଥ୍ୟ ସେସ୍‌ ପ୍ରଚଳନ କରାଯିବ। ସ୍ବାସ୍ଥ୍ୟ ସେବାର ବିକାଶ ଲାଗି ଘରୋଇ ଶିଳ୍ପ ଓ ସ୍ବାସ୍ଥ୍ୟସେବା ଉତ୍ସକୁ ବଳିଷ୍ଠ କରାଯିବ। ୧୧୨ ଆକାଂକ୍ଷୀ ଜିଲାରେ ହସ୍ପିଟାଲ ନିର୍ମାଣ କରାଯାଇ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ ପାର୍ଲାମେଣ୍ଟରେ ଘୋଷଣା କରିଛନ୍ତି। ତେବେ ଗତଥର ଅପେକ୍ଷା ଚଳିତ ଥର ଜାତୀୟ ସ୍ବାସ୍ଥ୍ୟ ମିଶନରେ ସାମାନ୍ୟ କମ୍‌ ବ୍ୟୟବରାଦ କରାଯାଇଛି। ଗତଥର ଏଥିଲାଗି ୩୪,୧୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଚଳିତ ଥର ୩୪, ୨୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Share