ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ : ଆନ୍ଦୋଳନ ଚେତାବନୀ

ବ୍ରହ୍ମପୁର ଅଫିସ,୨।୯: ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଫୋରମ୍‌ ଫର୍‌ ଗଞ୍ଜାମ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ବୈଠକ ଆର୍ଯ୍ୟଭଟ ଫାଉଣ୍ଡେସନ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଂଯୋଜକ ସୁଧୀର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବଡ଼ ମେଡ଼ିକାଲ ଏବଂ ସିଟି ହସ୍ପିଟାଲ୍‌ରେ ଥିବା ବିଭିନ୍ନ ସମସ୍ୟା ଯଥା ସିଟି ସ୍କାନିଂର ଅଭାବ, ଡାଏଲିସିସ୍‌, ଅଲ୍‌ଟ୍ରାସାଉଣ୍ଡ, ଡିଜିଟାଲ୍‌ ଏକ୍ସରେ, ନିରାମୟରେ ଔଷଧ ଆଦି ସୁବିଧା ଦେବାରେ ସରକାରଙ୍କ ବିଫଳତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବହୁବାର ଅଧ୍ୟକ୍ଷ, ପରିଚାଳକ, ଜିଲାପାଳ, ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ସେବା ନ ପାଇ ଲୋକମାନେ କଟକ, ଭୁବନେଶ୍ୱର, ବିଶାଖାପାଟଣାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଆଗାମୀ ଦିନରେ ପୁଣି ଥରେ ପ୍ରଶାସକଙ୍କୁ ସାକ୍ଷାତ କରି ମେଡିକାଲ୍‌ ସମସ୍ୟା ସମ୍ପର୍କରେ ଅବଗତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଇଜର୍‌ର ଭିତ୍ତିଭୂମି ଏବଂ ନିର୍ମାଣ ପାଇଁ ସରକାର ଟଙ୍କା ଯୋଗାଇ ଦେଇଛନ୍ତି । ହେଲେ ପରିବେଶ ମଞ୍ଜୁରୀ ମିଳୁନି । ଯାହା ଫଳରେ ନିର୍ମାଣ କାର୍ଯ୍ୟ ଧିମା ପଡ଼ିଯାଇଛି । ଏଣୁ ସରକାରଙ୍କ ଉପରେ ଚାପ ପକାଇବାକୁ ନିଷ୍ପତ୍ତି ନିଆଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନରେ ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକୁ ସାମିଲ୍‌ କରାଯାଇଛି। ଏହି କ୍ରମରେ ଆସନ୍ତା ଦିନରେ ରାୟଗଡ଼ା, ନବରଙ୍ଗପୁର, ଗୁଣୁପୁର, କୋଟପାଡ଼, ପାରଳାଖେମୁଣ୍ଡିଠାରେ ଆଲୋଚନାଚକ୍ର ଆୟୋଜନ କରାଯିବ। ବ୍ରହ୍ମପୁରଠାରେ ଆସନ୍ତା ୧୫ ତାରିଖରେ ଋଷିକୂଲ୍ୟା, ବାହୁଦା ନଦୀର ଶାଖା ଓ ଉପନଦୀକୁ କିଭଳି ପ୍ରଦୂଷଣ ମୁକ୍ତ କରାଯାଇପାରିବ, ସେ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ନଦୀ ବଞ୍ଚାଅର ଅଧ୍ୟକ୍ଷ ସୁଦର୍ଶନ ଦାସ, ଭୃଗୁବକ୍ସି ପାତ୍ର ଏବଂ ଅନ୍ୟ ବକ୍ତାମାନେ ଭାଗନେବେ। କାର୍ଯ୍ୟକ୍ରମର ସଫଳତା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।