ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ୍‌ ଭାରତ’ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର, ୪।୬(ବ୍ୟୁରୋ): ରାଜ୍ୟରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍‌ ଭାରତ’ ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏ ନେଇ ମଙ୍ଗଳବାର ସଚିବାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆୟୁଷ୍ମାନ୍‌ ଭାରତ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦୁଭୂଷଣଙ୍କ ନେତୃତ୍ୱରେ ୫ ଜଣିଆ ପ୍ରତିନିଧି ଦଳ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବକିଶୋର ଦାସଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ’ ଯୋଜନା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ଦୁଇ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଜି ଯେଉଁ ଆଲୋଚନା ହୋଇଛି ତାହା ପ୍ରାଥମିକ ପର୍ଯ୍ୟାୟ। ବିଧିବଦ୍ଧ ଭାବେ ସେମାନେ ପ୍ରସ୍ତାବ ଦେବା ପରେ ତାଙ୍କର ପ୍ରସ୍ତାବକୁ ତର୍ଜମା କରାଯିବ। ଆମ ରାଜ୍ୟ ଯଦି ବିଶେଷ ଭାବେ ଉପକୃତ ହୋଇପାରିବ ତାହା ହେଲେ ବିଚାର କରାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି।
ଏହି କେନ୍ଦ୍ରୀୟ ଦଳ ପ୍ରଥମେ ମୁଖ୍ୟ ଶାସନସଚିବ ଆଦିତ୍ୟ ପାଢ଼ୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ସଚିବାଳୟଠାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କାଳରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, କେନ୍ଦ୍ରରୁ ଆସିଥିବା ମନୁ ଶୁକ୍ଲା, ଅଦିତି ଭାର୍ଗବ, ଆସ୍ଥା ଆରୋରା ଓ ରୋହିତ ଦେଓ ଝାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।