ସ୍ବାସ୍ଥ୍ୟକାନ୍ଥରେ କରୋନା ସଚେତନତା: ଆଶା, ଅଙ୍ଗନଓ୍ବାଡି କର୍ମୀ ତତ୍ପର

ବିଜେପୁର, ୨୪।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ବ୍ୟକ୍ତିଗତ ସଚେତନତା ହିଁ ଏହାକୁ ପ୍ରତିରୋଧ କରିପାରିବ। ତେଣୁ ସହରଠାରୁ ଗାଁ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଏହି କ୍ରମରେ ବରଗଡ଼ ଜିଲା ବିଜେପୁର ବ୍ଲକର ଗାଁ ଗହଳିରେ ଥିବା ଆଶା, ଅଙ୍ଗନଓ୍ବାଡି କର୍ମୀ ବେଶ୍‌ ତତ୍ପର ହୋଇପଡ଼ିଥିବା ପରିଲକ୍ଷିତ ହେଉଛି। ଏହାର ପ୍ରତିରୋଧ ପାଇଁ ସରକାର ଦିନକୁ ଦିନ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ବ୍ୟକ୍ତିଗତ ବନ୍ଦୀ ଜୀବନ ବିତାଇବା ଏହି ଭାଇରସ୍‌ ସଂକ୍ରମଣରୁ ମୁକୁଳିବାର ଏକମାତ୍ର ବିକଳ୍ପ। ତେଣୁ ରାଜ୍ୟ ବାହାରେ ଚାକିରି କରୁଥିବା ବକ୍ତିଙ୍କ ଘରବାହୁଡ଼ା ବଢ଼ିବାକୁ ଲାଗିଛି। ଫଳରେ ଆଶା, ଅଙ୍ଗନଓ୍ବାଡି କର୍ମୀଗଣ ଖବର ପାଇବା ମାତ୍ରେ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି। ଟିକିନିଖି ସୂଚନାକୁ ଏଏନ୍‌ଏମ୍‌ ତଥା ଗୋଷ୍ଠୀ ଚିକିତ୍ସାଧିକାରୀଙ୍କୁ ଅବଗତ କରାଉଛନ୍ତି। ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ସେମାନଙ୍କୁ ବିଭିନ୍ନ ତରିକା ବିଷୟରେ ଅବଗତ କରାଉଛନ୍ତି। ଘରେ ଏକାକୀ ରହି ନିଜକୁ ତଥା ପରିବାରର ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାରେ ସହାୟତା କରିବାକୁ ସେମାନଙ୍କୁ ସମ୍ପୃକ୍ତ କର୍ମୀଗଣ ଉତ୍ସାହିତ କରୁଛନ୍ତି। ଗାଁ ଗହଳିରେ ଲୋକଙ୍କୁ ସଚେତନ କରିବାକୁ ସ୍ବାସ୍ଥ୍ୟକାନ୍ଥରେ କରୋନା ଭାଇରସ୍‌ ସଂକ୍ରମଣରୁ ମୁକୁଳିବାର ବିଭିନ୍ନ ତରିକା ବିଷୟରେ ଉଲ୍ଲେଖ କରିଛନ୍ତି। ଏହା ଦ୍ବାରା ଲୋକମାନେ ବେଶ୍‌୍‌ ସଚେତନ ହେଉଥିବା ଦେଖିବାକୁ ମିଳୁଛି।