Categories: ଗଞ୍ଜାମ

ସ୍ବାମୀ ମାଡ଼ରେ ସ୍ତ୍ରୀଙ୍କ ହାତଗୋଡ଼ ଭାଙ୍ଗିବା ଘଟଣା: ନ୍ୟାୟ ପାଇଁ ରାସ୍ତାରେ ଶୋଇ ମହିଳାଙ୍କ ଧାରଣା

ଜଗନ୍ନାଥପ୍ରସାଦ,୨୧ା୧୨(ଡି.ଏନ.ଏ.) -ଜଗନ୍ନାଥପ୍ରସାଦ ଥାନା ପଞ୍ଚୁଭୂତି ମୁଖ୍ୟ ରାସ୍ତା ୨୧ ନଂ. ରାଜ୍ୟ ରାଜପଥରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୨ ଗୋଡ଼, ବାମ ହାତ ଭାଙ୍ଗି ଯାଇଥିବା ଜଣେ ମହିଳା ୬ ବର୍ଷର ପୁଅକୁ ଧରି ରାସ୍ତା ଉପରେ ଶୋଇ ନ୍ୟାୟ ମାଗୁଥିଲେ। ତାଙ୍କର ଏପରି ଦଶା କରିଥିବା ସ୍ବାମୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରୁଥିଲେ। ଫଳରେ ୨ରୁ ୩ ଘଣ୍ଟା ରାଜପଥ ସମ୍ପୂର୍ଣ ବନ୍ଦ ରହିଥିଲା। ପ୍ରଶାସନ ପହଞ୍ଚତ୍ ବୁଝାଶୁଝା କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ।
ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ, କରସିଂ ଗ୍ରାମର ଚୈତନ୍ୟ ପ୍ରସାଦ ସାହିର ପଦ୍ମ ସାହୁ (ବିବାହିତ)ଙ୍କ ଘରକୁ ପଞ୍ଚୁଭୂତି ଗ୍ରାମର ତୋଫାନ ନାୟକଙ୍କ ଝିଅ ହୀରା ୭ବର୍ଷ ତଳେ କାମ କରିବାକୁ ଯାଇଥିଲେ। ପରେ ପଦ୍ମ ତାଙ୍କୁ ବିବାହ କରି ଅନ୍ୟତ୍ର ନେଇ ରଖିଥିଲେ। ସେମାନଙ୍କ ଏକ ୬ବର୍ଷର ପୁତ୍ର ସନ୍ତାନ ଅଛି। ବିଭିନ୍ନ ସମୟରେ ସେ ହୀରାଙ୍କୁ ମାର୍‌ପିଟ୍‌ କରୁଥିଲେ। ଏପରିକି ମାସେ ତଳେ ମାରି ଗୋଡହାତ ଭାଙ୍ଗି ଦେଇଥିବାବେଳେ ଚିକିତ୍ସା ମଧ୍ୟ କରିଥିଲେ। ପୁଣି ଗତ ରବିବାର ଅରବିନ୍ଦ ନଗରରେ ଏକ ଭଡାଘରେ ରଖି ମାଡ ମାରି ଗୋଡହାତ ଭାଙ୍ଗି ଦେଇଥିଲେ। ସାହି ଲୋକଙ୍କ ଠାରୁ ଖବର ପାଇ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ପଦ୍ମ ଖସି ପଳାଇଥିଲେ। ଏ ନେଇ ହୀରାଙ୍କ ବାପା ତୋଫାନ ନାଇକଙ୍କ ଅଭିଯୋଗ ପ୍ରକାରେ ନଂ.୨୯୮/୧୯ ରେ ବୁଗୁଡା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ନ୍ୟାୟ ପାଇଁ ରାସ୍ତାକୁ ଆସିଥିବା ହୀରା କହିଛନ୍ତି। ବର୍ତ୍ତମାନ ହୀରାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ଏସ୍‌ଆଇ ଅମ୍ବିକା ବେଣିଆ, ତହସିଲଦାର ବାସୁଦେବ ପାଣ୍ଡେ, ଏଟିଓ ବାରିଆଲ ମୁର୍ମୁ ପ୍ରମୁଖ ମହିଳାଙ୍କୁ
ବୁଝାଶୁଝା ସହ ଚିକିତ୍ସା ବ୍ୟବସ୍ଥା କରିଥିଲେ।