ସ୍ବାମୀ ଓମ୍‌ ଜୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ,୧୨।୧୦(ଡି.ଏନ୍‌.ଏ.): ଗ୍ଲୋବାଲ ଓ ଭାରତ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଓମ୍‌ ଜୀ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ତାଙ୍କ ଯୋଗୁ ସଂସାରରେ ଜୀବ ଓ ଗ୍ରହ ନକ୍ଷତ୍ର ତିଷ୍ଠି ରହି ନିଜ କାର୍ଯ୍ୟ ସମ୍ପାଦାନ କରିପାରନ୍ତି। କିନ୍ତୁ ଏହି ମନ୍ଦିରରେ ସୂର୍ଯ୍ୟଙ୍କ ପ୍ରତିମା ଥିଲେ ମଧ୍ୟ ତାହାକୁ ଲୁକ୍କାୟତ ରଖାଯାଇ ହିନ୍ଦୁ ଧର୍ମ ସହ ସମସ୍ତ ଦେବତା କୂଳକୁ ଅପମାନ କରାଯାଉଛି। ଏ ନେଇ ସୂର୍ଯ୍ୟଙ୍କୁ ପୂଜାବିଧିର ସମସ୍ତ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଅନ୍ୟପକ୍ଷେ ସରକାର ଯଦି ଏଥିରେ ବିଳମ୍ବ କରନ୍ତି, ତେବେ ବିକଳ୍ପ ଏକ ସୂର୍ଯ୍ୟ ମନ୍ଦିର କରି ସେଠାରେ ପୂଜାର୍ଚ୍ଚନା କରାଯିବ ବୋଲି ସେ କହିଛନ୍ତି। ସ୍ବାମୀଜୀଙ୍କ ସହ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ, ବାବା ସୀତାରାମ, ବାବା ଯଦୁମଣି ସ୍ବାମୀ ଉପସ୍ଥିତ ଥିଲେ।