ସ୍ବାଭିମାନ ଅଞ୍ଚଳରେ କଡ଼ା ବିରୋଧ: ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ମାଓବାଦୀ ମୃତ, ଜଣେ ଗୁରୁତର

ମାଲକାନଗିରି,୨୬।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଛି। ଉକ୍ତ ଅଞ୍ଚଳର ଜନ୍ତୁରାଇ ଗାଁକୁ ମାଓବାଦୀ ଆସି ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବା ଲାଗି ଗ୍ରାମବାସୀଙ୍କୁ ଆଦେଶ ଦେଇଥିଲେ। ମାତ୍ର ଗ୍ରାମବାସୀ ଏହାର ବିରୋଧ କରିବା ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମାଓବାଦୀ ଗୁଳିଚାଳନା କରିବାରୁ ଗ୍ରାମବାସୀ ଟେକା ପଥର ପକାଇବା ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ପାଲଟା ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗ୍ରାମବାସୀ ହନ୍ତାଳଗୁଡ଼ା ବିଏସ୍‌ଏଫ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଛନ୍ତି। ସେଠାରୁ ଗୁରୁତରଙ୍କୁ ଚିକିତ୍ସାଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ମୃତ ମାଓବାଦୀଙ୍କୁ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ପଠାଯାଇଛି।
ସୂଚନାଯୋଗ୍ୟ, କିଛିଦିନ ତଳେ ଜନ୍ତୁରାଇକୁ ରାସ୍ତା ସଂଯୋଗୀକରଣ ହୋଇଥିଲା। ଏହାକୁ ମାଓବାଦୀ କଡ଼ା ବିରୋଧ କରିଥିଲେ।