ସ୍ବାଧୀନତା ଦିବସରେ ଗାନ୍ଧିଜୀଙ୍କୁ ଅସମ୍ମାନ

ଚନ୍ଦାହାଣ୍ଡି, ୧୫।୮(ଡି.ଏନ୍‌.ଏ.)-ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସମସ୍ତେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥାନ୍ତି। ଜାତୀୟ ପତାକା ଉତ୍ତୋଳନ ପରେ ସେମାନଙ୍କ ବଳିଦାନର କଥା ଚର୍ଚ୍ଚା ହୋଇଥାଏ। ଏହା ମଧ୍ୟରେ ସ୍ବାଧୀନତା ସଂଗ୍ରାମର ପୁରୋଧା କୁହାଯାଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଚନ୍ଦାହାଣ୍ଡିରେ ଅସମ୍ମାନ କରାଯାଉଥିବା ଭଳି ଦୃଶ୍ୟ ନଜରକୁ ଆସିଥିଲା। ଗୁରୁବାର ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ବିଡିଓ ଦେବେନ୍ଦ୍ର ପ୍ରସାଦ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମ ସରିବା ପରେ ସମସ୍ତେ ଘରକୁ ଯାଇଥିଲେ। କିନ୍ତୁ ପତାକା ପାଖରେ ଫୁଲ ଦିଆଯାଇ ପୂଜା କରାଯାଇଥିବା ମହାତ୍ମା ଗାନ୍ଧୀଙ୍କ ଫଟୋ ତଳେ ପଡିଥିବା ଦେଖା ଯାଇଥିଲା। ବ୍ଲକ କଲୋନୀ ମଧ୍ୟରେ ସମସ୍ତ ଷ୍ଟାଫ ରହୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ପଡି ନ ଥିଲା। ପତାକା ଉତ୍ତୋଳନ ବେଳେ ପୂଜା କରାଯାଇଥିବା ମହାତ୍ମା ଗାନ୍ଧୀଙ୍କୁ ପ୍ରଶାସନ ପରେ ଭୁଲି ଯାଇଥିଲା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ପରେ ବିଜେଡିର କିଛି ନେତା ବ୍ଳକକୁ ବୁଲି ଯାଇଥିବାବେଳେ ମହାତ୍ମା ଗାନ୍ଧୀଙ୍କ ଫଟୋ ତଳେ ପଡି ଯାଇଥିବା ଦେଖି ଉଠାଇଥିଲେ। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।