ସ୍ବଳ୍ପ ବୃଷ୍ଟିପାତ: ଆଗେଇ ପାରୁନି ଚାଷ କାମ

ବନ୍ତ, ୨୩।୭ (ଡି.ଏନ.ଏ.) – ଚଳିତ ଖରିଫ ଋତୁରେ କମ୍‌ ବୃଷ୍ଟିପାତ ଯୋଗୁ ବନ୍ତ ବ୍ଲକର ଶହ ଶହ ଏକର ଜମି ଏବେ ଶୁଖିଲା ପଡ଼ିଛି। ଫଳରେ ଚାଷ କାମ ଆଗେଇ ପାରୁନି। ଅପରପକ୍ଷେ ପାଣିର ଅପବ୍ୟବହାର ନ କରିବାକୁ ଜଳସେଚନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରକାଶ ଯେ, ବନ୍ତ ବ୍ଲକର ମୋଟ ୧୮,୮୬୫ ହେକ୍ଟର ଚାଷ ଜମି ଥିବାବେଳେ ସମସ୍ତ ଜମି ଜଳସେଚିତ। ସେଥିମଧ୍ୟରୁ ୧୭,୦୬୨ ହେକ୍ଟର ଜମିରେ ଧାନ ଚାଷ କରାଯାଉଛି। ଚଳିତ ଖରିଫ ଋତୁରେ ଧାନ ଚାଷ ପାଇଁ ୧୦୩୧ ହେକ୍ଟର ଜମିରେ ତଳି ପଡ଼ିଛି। ଚଳିତ ମାସରେ ସମଗ୍ର ବ୍ଲକରେ ୭୫ ମି.ମି.ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆବଶ୍ୟକଠାରୁ କମ୍‌ ବର୍ଷା ହେବା ଫଳରେ ଚାଷକାମ ବାଧାପ୍ରାପ୍ତ ହୋଇଛି। କେତେକ ଚାଷୀ କେନାଲ ପାଣି ଉପରେ ଭରସା କରି ତଳି ପକାଇଥିଲେ ମଧ୍ୟ ଅଦ୍ୟାବଧି କେନାଲ ପାଣି ଜମିରେ ମାଡ଼ି ନ ଥିବା ଦେଖାଯାଇଛି। ଅନ୍ୟପକ୍ଷେ ଗତ ୧୫ ତାରିଖରେ ହଦଗଡ ଡ୍ୟାମ୍‌ରୁ ପାଣି ଛଡ଼ାଯାଇଥିଲେ ମଧ୍ୟ ଜମି ଶୁଖିଲା ଥିବାରୁ ପାଣି ମାଡ଼ିବାରେ ବିଳମ୍ବ ହେଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗତ ବର୍ଷଠାରୁ ଏବର୍ଷ ଅଧିକ ପାଣି ଜଳସେଚନ ବିଭାଗ ଆଣିଛି। ଏପରିସ୍ଥଳେ ପାଣିର ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।
ବନ୍ତ ବ୍ଲକରେ ମୋଟ ୪ଟି ଜଳସେଚନ ସେକ୍ସନ କାର୍ଯ୍ୟ କରୁଛି। ସେଥିମଧ୍ୟରୁ ଶାଳନିଅଁା ସବ୍‌ଡିଭିଜନ ଅଧୀନରେ ବନ୍ତ ଓ ବିଦ୍ୟାଧରପୁର ସବ୍‌ଡିଭିଜନ ଅଧୀନରେ ଆଗରପଡ଼ା ରହିଛି। ବନ୍ତ ସେକ୍ସନ ଦ୍ୱାରା ୯ ହଜାର ଓ ଆଗରପଡା ସେକ୍ସନ ଦ୍ୱାରା ୧୦ ହଜାର ହେକ୍ଟର ଚାଷଜମିକୁ ଜଳ ଯୋଗାଣ ହେଉଛି ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ଏ ସମ୍ପର୍କରେ ଏସ୍‌ଡିଓ ପ୍ରଣବ କୁମାର ନାୟକଙ୍କୁ ପଚାରିବାରୁ ଯେକୌଣସି ପରିସ୍ଥିତିରେ ଚାଷୀମାନଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି।