ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା ନ ହେଲେ ଚକାବନ୍ଦ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ରାଜ୍ୟ ସରକାରଙ୍କ ପରିବହନ ଶ୍ରମିକଙ୍କ ପ୍ରତି ବୈମାତୃକ ମନୋଭାବକୁ ବିରୋଧ କରି ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ ପକ୍ଷରୁ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟସରକାରଙ୍କ ନିଷ୍ପତ୍ତିକ୍ରମେ ଓଡ଼ିଶା ବସ୍‌ ମାଲିକ ସଂଘ ସହିତ ଆଲୋଚନା କରି ଆସନ୍ତା ଜୁନ୍‌ ୧ତାରିଖଠାରୁ ଗାଡ଼ି ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି। ମାଲିକମାନଙ୍କର ଦାବି ମୁତାବକ ୩ମାସର ରୋଡଟ୍ୟାକ୍ସ ଛାଡ଼ କରିବା, ବୀମା ଓ ଗାଡ଼ିର କିସ୍ତି ସମ୍ପର୍କରେ କୋହଳ ମନୋଭାବ ପୋଷଣ କରି ଗାଡ଼ି ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି। କୋଭିଡ୍‌-୧୯ ପାଇଁ ୭୦ଦିନରୁ ଅଧିକ ତାଲାବନ୍ଦ ହେବା ଯୋଗୁ ପରିବହନ କର୍ମଚାରୀ ଯଥା ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲ୍‌ପରମାନଙ୍କ କଥା ନା ମାଲିକ, ନା ସରକାର ଦୃଷ୍ଟି ଦେଇ ନ ଥିବା ଜିଲା ସଂଘର ସାଧାରଣ ସମ୍ପାଦକ ରାଜକିଶୋର ଲେଙ୍କା ଅଭିଯୋଗ କରିଛନ୍ତି। କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ଗାଡ଼ି ଚଳାଚଳ ପାଇଁ ଅନୁମତି ଦେବା କେତେଦୂର ଯୁକ୍ତିସଙ୍ଗତ ତାହା ସରକାର ବିଚାର କରିବା ଦରକାର ବୋଲି ଡ୍ରାଇଭର ବୀରେନ୍‌ ଦଳେଇ ପ୍ରକାଶ କରିଛନ୍ତି। ମାସିକ ୭୫୦୦ଟଙ୍କା ପ୍ରଦାନ, ୧୦କିଲୋ ଚାଉଳ, ୩କିଲୋ ଡାଲି, ୨ଲିଟର ତେଲ ୬ମାସ ପାଇଁ ଦିଆଯିବା ଲାଗି ଦାବି ହୋଇଛି। ମହାରାଷ୍ଟ୍ର ସରକାରଙ୍କ ଭଳି ସମସ୍ତ ପରିବହନ କର୍ମଚାରୀଙ୍କର ୧୦ଲକ୍ଷ ଟଙ୍କାର ଜୀବନ ବୀମା ଏବଂ କର୍ମଚାରୀ ତଥା ଯାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା କରିବା, ଶ୍ରମିକମାନଙ୍କ ପ୍ରତି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ନ କଲେ ଚକାବନ୍ଦ ଆନ୍ଦୋଳନ କରାଯିବ ବୋଲି ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଛି।