ସ୍ବତନ୍ତ୍ର ନିୟମାବଳୀ ଉପରେ ନିର୍ଭର

ଅନୁଗୋଳ ଅଫିସ, ୧୩।୬ – ଚଳିତ ବର୍ଷ ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ରଥଯାତ୍ରା କିପରି ହେବ ତାହା ନିର୍ଭର କରୁଛି ସରକାରଙ୍କ ସ୍ବତନ୍ତ୍ର ନିୟମାବଳୀ ଉପରେ। ଏହା ଜିଲା ପ୍ରଶାସନର ହସ୍ତଗତ ହେବା ପରେ ଏ ନେଇ ଯାହାକିଛି ନିଷ୍ପତ୍ତି ନିଆଯିବ। ତେବେ ସମସ୍ତ ବିଭାଗୀୟ ଅଧିକାରୀ ଓ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତାମାନେ ଶୃଙ୍ଖଳିତ ଭାବେ ନିଜ ଦାୟିତ୍ୱ ନିର୍ବାହ କରିବାକୁ ଶୁକ୍ରବାର ବେଦଭବନଠାରେ ମନ୍ଦିର ପରିଚାଳନା ସମିତି କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ମନୋଜ କୁମାର ମହାନ୍ତି ଏହି ପରାମର୍ଶ ଦେଇଛନ୍ତି।
ପ୍ରାରମ୍ଭରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ହେମନ୍ତ କୁମାର ଦାସ ଦାନ ସୂତ୍ରରେ ୫୦ ଲକ୍ଷ ୬୪ ହଜାର ୮ ଶହ ଏବଂ ଅନ୍ୟାନ୍ୟ ସୂତ୍ରରୁ ୮୨ ଲକ୍ଷ ୪୦ ହଜାର ୮୨୬ ଟଙ୍କା ସଂଗୃହୀତ ହୋଇଥିବା ସୂଚନା ଦେଇଥିଲେ। ରଥ ନିର୍ମାଣ ନିରାପତ୍ତା ପ୍ରମାଣପତ୍ର ପାଇଁ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ କୁମାର ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ସୂଚନା ଦେଇଥିଲେ। ରଥଯାତ୍ରା ବେଳେ ହରିମହୁରୀ ଛକ ଠାରୁ ପିଟିସି ଛକ ମଧ୍ୟରେ ଯାନବାହନ ଚଳାଚଳ ନିୟନ୍ତ୍ରଣ କରିବା ସହ ରଥର ସୁରକ୍ଷା ପାଇଁ ପୋଲିସ ମୁତୟନ କରିବାକୁ ଏସ୍‌ପି ଜଗମୋହନ ମୀନାଙ୍କୁ ଅନୁରୋଧ କରାଯାଇଥିଲା। ରାସ୍ତା ପାର୍ଶ୍ୱରେ କୌଣସି ପ୍ରକାର ଖାଦ୍ୟ ଓ ପଣା ଦିଆଯିବା ଉପରେ କଟକଣା ଲଗାଯାଇଥିଲା। ସେହିପରି କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ। ପରିଚାଳନା କମିଟି ପକ୍ଷରୁ ଅବଢ଼ା ପାର୍ସଲ ପାଇଁ ପ୍ରତ୍ୟହ ଅତି କମ୍‌ରେ ୧୦୦ ଜଣଙ୍କୁ ଆଗୁଆ ଅନୁମତି ସହ ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଥିଲା। ରଥଟଣା ଶୃଙ୍ଖଳିତ କରିବା ପାଇଁ ଅତିରିକ୍ତ ଜିଲାପାଳ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସରକାରଙ୍କ ସ୍ବତନ୍ତ୍ର ନିୟମାବଳୀ ହସ୍ତଗତ ହେବା ପରେ ଆଉ ଏକ ବୈଠକ ଡକାଯିବ ବୋଲି ଜିଲାପାଳ କହିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଧନ୍ୟବାଦ ଦେଇଥିଲେ। ଅନୁଗୋଳ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ମନ୍ଦିର ପରିଚାଳନା କମିଟି ଉପସଭାପତି ଭବାନୀ ପ୍ରସାଦ ମିଶ୍ର, ସଦସ୍ୟ ପରମାନନ୍ଦ ମିଶ୍ର, ଭକ୍ତିପ୍ରସାଦ ଦାସ, ଆନନ୍ଦ ଚନ୍ଦ୍ର ମହାପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ମଧୁସ୍ମିତା ବିଶି, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।