ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିିଲେ ୨୮୪ ପ୍ରବାସୀ

ବାରିପଦା ଅଫିସ,୨୭ା୫- ଲକ୍‌ଡାଉନ ଯୋଗୁ ତାମିଲନାଡ଼ୁରେ ଫସି ରହିଥିବା ୨୮୪ ପ୍ରବାସୀ ମଙ୍ଗଳବାର ସ୍ବତନ୍ତ୍ର ଟ୍ରେନ୍‌ରେ ମୟୂରଭଞ୍ଜ ଜିଲା ବାରିପଦାକୁ ଫେରିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରୁ ୨୧୮ ଜଣ ମୟୂରଭଞ୍ଜ ଜିଲାର ହୋଇଥିବା ବେଳେ ୬୬ ଜଣ ଅନ୍ୟ ଜିଲାର। ଅପରାହ୍ନ ୪ଟା ୫୦ ମିନିଟ ସମୟରେ ୨୪ ବଗି ବିଶିଷ୍ଟ ଟ୍ରେନ୍‌ଟି ବାରିପଦାର ଭଞ୍ଜପୁର ଷ୍ଟେଶନରେ ପହଞ୍ଚିଥିଲା। ସେଠାରେ ଜିଲା ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବାସୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଖାଦ୍ୟ ପ୍ରଦାନ କରାଯାଇଥିଲା। ଜିଲାପାଳ ବୀନିତ ଭରଦ୍ୱାଜ, ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଜିଲା ପରିବହନ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ୫୦ଟି ସ୍ବତନ୍ତ୍ର ବସ୍‌ରେ ସେମାନଙ୍କୁ ଜିଲାର ବିଭିନ୍ନ ପଞ୍ଚାୟତରେ ହୋଇଥିବା କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ପଠାଯାଇଥିଲା। ଏହାକୁ ଠିକ୍‌ ଭାବରେ ପରିଚାଳନା କରିବା ପାଇଁ ୨୩ଟି କାଉଣ୍ଟର ହୋଇଥିବା ବେଳେ ୧୫୦ ସରକାରୀ ଅଫିସର ଓ କର୍ମଚାରୀ ନିୟୋଜିତ ହୋଇଥିଲେ। ସେହିଭଳି ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ଫୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରବାସୀମାନେ ଆସିବା ଜାଣି ଟ୍ରେନ୍‌ ସମୟରେ ଆଖପାଖ ଅଞ୍ଚଳର ଲୋକେ ସେମାନଙ୍କୁ ଦେଖିବା ପାଇଁ ରୁଣ୍ଡ ହୋଇଥିଲେ। ପରେ ପୋଲିସ ସେମାନଙ୍କୁ ଘଉଡାଇବାରୁ ପଳାଇଥିଲେ। ଏହା ବ୍ୟତୀତ ମଙ୍ଗଳବାର ସକାଳ ୮ଟାରୁ ଭଞ୍ଜପୁର ଷ୍ଟେଶନ ସମେତ ୫୦୦ ମିଟର ପରିଧି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା।