ସ୍ବଚ୍ଛ, ମଳମୁକ୍ତ ଗ୍ରାମଭାବେ ପୁରସ୍କୃତ ହୋଇଥିଲା ଟାଙ୍ଗରସାହି: ପାଇଖାନା ନିର୍ମାଣ ଅର୍ଥ ନ ପାଇ ନିରାଶ ହିତାଧିକାରୀ

କାଳିଆପାଣି,୨୯।୯(ଡି.ଏନ.ଏ.)- ସୁକିନ୍ଦା ବ୍ଲକରେ ସ୍ବଚ୍ଛ ଓ ମଳମୁକ୍ତ ଗ୍ରାମଭାବେ ଉଦାହରଣ ସୃଷ୍ଟି କରିଥିବା ଟାଙ୍ଗରସାହି ଗ୍ରାମର ହିତାଧିକାରୀ ପ୍ରଶାସନର ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଗତବର୍ଷ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଟାଙ୍ଗରସାହି ଗ୍ରାମକୁ ସ୍ବଚ୍ଛ ଓ ମଳମୁକ୍ତ ଗ୍ରାମ ଭାବେ ପୁରସ୍କୃତ କରାଯାଇଥିଲା। ଯେଉଁଥିରେ ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ହେଲେ ଅଦ୍ୟାବଧି ପାଇଖାନା ନିର୍ମାଣ କରିଥିବା ହିତାଧିକାରୀ ସେମାନଙ୍କ ନିର୍ମାଣ ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ଶୋଷଣର ଶିକାର ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ସେ ସମୟରେ ଓଡ଼ିଶା ଖଣି ନିଗମ ପକ୍ଷରୁ ଫିଡ୍‌ବ୍ୟାକ ଫାଉଣ୍ଡେଶନ ଏନ୍‌ଜିଓ ତତ୍ୱାବଧାନରେ ନିଗରାନି ଟିମ୍‌ ଗଠନ କରାଯାଇଥିଲା। ଏହି ଦଳର ପ୍ରେରଣାରେ ମହିଳାମାନେ ଘରଘର ପହଞ୍ଚି ପାଇଖାନା ନିର୍ମାଣ କରି ପରିବେଶକୁ ସ୍ବଚ୍ଛ ଓ ମଳମୁକ୍ତ କରିବାକୁ ବୁଝାଇଥିଲେ। ଗ୍ରାମବାସୀମାନେ ପ୍ରତିଯୋଗିତାମୂଳକ ଭାବେ ପାଇଖାନା ନିର୍ମାଣ କରିବା ସହ ବାହାରେ ମଳତ୍ୟାଗ କରିବା ନାହିଁ କିମ୍ବା କାହାକୁ କରିବାକୁ ଦେବା ନାହିଁ ବୋଲି ପ୍ରତିଜ୍ଞା ନେଇଥିଲେ। ଆଦିବାସୀ ଅଧ୍ୟୁସିତ ପଞ୍ଚାୟତରେ ଏହି ଗ୍ରାମକୁ ଦେଖି ଉତ୍ସାହିତ ହୋଇ ସମସ୍ତ ଗ୍ରାମବାସୀ ପାଇଖାନା ନିର୍ମାଣ କରିଥିଲେ। ଧାର କରଜ କରି ପାଇଖାନା ନିର୍ମାଣ କରିଥିବା ହିତାଧିକାରୀଙ୍କୁ ମାତ୍ର ଏକ ମାସରେ ତାଙ୍କ ପ୍ରାପ୍ୟ ୧୨ହଜାର ଟଙ୍କା ପାଇଯିବେ ବୋଲି ଜଳ ପରିମଳ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କ ପ୍ରାପ୍ୟ ପାଇ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଟଙ୍କା ପାଇବାକୁ ବ୍ଲକ କାର୍ଯ୍ୟାଳୟ ଦୌଡ଼ିଦୌଡ଼ି ହିତାଧିକାରୀମାନେ ନୟାନ୍ତ ହୋଇପଡ଼ିଥିବା ଟାଙ୍ଗରସାହି ପ୍ରଭାତି ମହାନ୍ତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆରଡ଼ବ୍ଲ୍ୟୁଏସ୍‌ଏସ୍‌ ସୁକିନ୍ଦା ବ୍ଲକ କନିଷ୍ଠଯନ୍ତ୍ରୀ ବିଷ୍ଣୁମୋହନ ଶତପଥିଙ୍କୁ ପଚାରିବାରୁ, ଅନେକ ପଞ୍ଚାୟତର ହିତାଧିକାରୀ ପାଇଖାନା ଅର୍ଥ ପାଇବାକୁ ଅଛି। ସେମାନେ ସମସ୍ତେ କିପରି ବକେୟା ଅର୍ଥ ତୁରନ୍ତ ପାଇବେ ସେଥିପାଇଁ ଚେଷ୍ଟା କରାଯାଉଛି ବୋଲି କହିଥିଲେ।