Categories: ମେଟ୍ରୋ

ସ୍ପେସ୍‌ ଆଣ୍ଡ୍‌ ସ୍ପେସ୍‌

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ଜାତୀୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ‘ସ୍ପେସ୍‌ ଆଣ୍ଡ୍‌ ସ୍ପେସ୍‌’ ରବିବାର ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରୀ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ପ୍ରଦର୍ଶନୀକୁ ଅଭିନେତା ତଥା ନିକଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ମିହିରି ଦାସ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିବା ସହ ଚିତ୍ରଶିଳ୍ପୀଙ୍କ ଅନନ୍ୟ କୃତିକୁ ପ୍ରଶଂସା କରିଥିଲେ। ନୋଏଡାସ୍ଥିତ ରଭିସା ଆର୍ଟ ଫାଉଣ୍ଡେଶନ ଓ ନୂଆଦିଲ୍ଲୀର ‘କ’ ପ୍ରକାଶନ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀରେ ଶ୍ରୀରାମ ଗୋହରୀ, ମଧୁମିତା ବର୍ମା, ରବୀନ୍ଦ୍ର ବର୍ମା, ମିନୁ ବର୍ମା, ପ୍ରମୋଦ ବରୁଆ ଓ ନେହା ବର୍ମାଙ୍କ ଭଳି ଜାତୀୟସ୍ତରୀୟ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ସ୍ଥାନୀତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରୀର ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା, ମହିଳା ଚିତ୍ରଶିଳ୍ପୀ ସୁଚେତା ପ୍ରିୟଦର୍ଶିନୀ, ଡ. ଆଶିଷ ମହାପାତ୍ର, ନରୋତ୍ତମ ଦାସ ପ୍ରମୁଖ ଯୋଗଦେଇଥିଲେ। ଡିସେମ୍ବର ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ଅବସରରେ ସୋମବାର ଏକ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ‘କ’ର ପ୍ରତିଷ୍ଠାତା ବିଜୟ ଶଙ୍କର କହିଛନ୍ତି।