ସ୍ନାନଯାତ୍ରାରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟରେ ମାମଲା

କଟକ ଅଫିସ,୯।୬: ପୁରୀ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ସ୍ନାନଯାତ୍ରା ବେଳେ ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ ହୋଇଛି। ମୁଦିରସ୍ତ, ସେବାୟତ ଓ ଦଇତାପତିମାନେ ମାସ୍କ ପିନ୍ଧି ନ ଥିଲେ କିମ୍ବା ସାମାଜିକ ଦୂରତ୍ୱ ପାଳନ କରି ନ ଥିଲେ। ତେଣୁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, କେବଳ ଠାକୁରଙ୍କ ରୀତିନୀତି ରକ୍ଷା ପାଇଁ ରଥଯାତ୍ରା ଆୟୋଜନ ହେଉଛି। ଗଜପତି ମହାରାଜା ସ୍ନାନଯାତ୍ରାରେ ଭାଗ ନେଇନାହାନ୍ତି। ଛେରା ପହଁରାରେ ସେ ଅନୁପସ୍ଥିତ ଥିଲେ। ଆଇନକୁ ସମ୍ମାନ ଜଣାଇ ସେ କୌଣସି ପ୍ରକାର ନିୟମ ଭାଙ୍ଗିବାଠାରୁ ନିଜକୁ ଦୂରେଇ ରଖିଛନ୍ତି। ଗଜପତି ମହାରାଜ, ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଶ୍ରଦ୍ଧାଳୁ ସମସ୍ତେ ସରକାରଙ୍କ କଟକଣାକୁ ମାନୁଥିବା ବେଳେ ଅଳ୍ପ କେତେଜଣ ମାନିନାହାନ୍ତି। ଆଇନଠାରୁ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଯେଉଁମାନେ ଆଇନ ଉଲ୍ଲଂଘନ କରିଛନ୍ତି, ସେମାନଙ୍କଠାରୁ ଜରିମାନା ଆଦାୟ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି। ଆଇନଜୀବୀ ଦିଲ୍ଲୀପ କୁମାର ରାୟ ଏହି ମାମଲା ଦାଏର କରିଛନ୍ତି। ଏଥିରେ ରାଜ୍ୟ ସରକାର, ଗୃହ ବିଭାଗ ସଚିବ, କେନ୍ଦ୍ର ସରକାରଙ୍କ ଗୃହ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ପ୍ରଶାସକଙ୍କୁ ପକ୍ଷଭୁକ୍ତ କରାଯାଇଛି।