Categories: ଗଞ୍ଜାମ

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ସ୍ବାମୀ, ସମ୍ପର୍କୀୟ ଗିରଫ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ, ୧୨ା୭(ଡି.ଏନ.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ସ୍ବାମୀ ଏବଂ ତାଙ୍କର ଜଣେ ସମ୍ପର୍କୀୟ ଜୀବନରେ ମାରି ଦେବାକୁ ଉଦ୍ୟମ କରିଛନ୍ତି। ଏ ନେଇ ମହିଳା ଜଣକ ବେଲଘର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ସ୍ବାମୀ ଏବଂ ସମ୍ପର୍କୀୟଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ବାମୀ ହରିହର ନାୟକ ଓ ସମ୍ପର୍କୀୟ ଜ୍ୱାଇଁ ବେଲଘରର ବେଲାରସେନ ନାୟକ। ମିଳିଥିବା ସୂଚନା ଅନୁସାରେ, ବେଲଘର ଥାନା ଝିରିପାଣିର ମାନସୀ ନାୟକ ୨୦୦୬ରେ ହରିହରଙ୍କୁ ବିବାହ କରିଥିଲେ। ଗତ ୩ ମାସ ହେବ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଗତ ୯ ତାରିଖରେ ସ୍ତ୍ରୀ ଏବଂ ସ୍ବାମୀ ତୁମୁଡିବନ୍ଧ ଯାଇ ଫେରୁଥିଲେ। ହରିହର ବାଟରେ ମାନସୀଙ୍କୁ ଗାଳି ଗୁଲଜ କରି ମାରିଦେବାକୁ ଧମକ ଦେଇଥିଲେ। ଏପରିକି ଆଜିଠାରୁ କୌଣସି ସମ୍ପର୍କ ନାହିଁ, ଛାଡ଼ପତ୍ର ଦେବି ବୋଲି କହିଥିଲେ। ରାତି ପ୍ରାୟ ୮ଟା ବେଳକୁ ହରିହର ଓ ମାନସୀ ତାଙ୍କ ଭିଣୋଇ ସୁଗ୍ରେସନ ନାୟକଙ୍କ ଘରକୁ ଯାଇଥିଲେ। ସେଠାରୁ ୧୦ ତାରିଖରେ ଘରକୁ ବାହାରିଥିଲେ। ସେଠାରେ ମଧ୍ୟ ମାନସୀଙ୍କୁ ହରିହର ମାଡ ମାରିଥିଲେ। ବାଟରେ ଆସିବା ବେଳେ ଆଉ ଜଣେ ନଣନ୍ଦଙ୍କ ସ୍ବାମୀ ବେଲାରସେନ ନାୟକଙ୍କୁ ଭେଟି ସମସ୍ତେ ଏକ ଗାଡିରେ ଘର ଅଭିମୁଖେ ବାହାରିଥିଲେ। ବାଟରେ ଅଟକି ସ୍ବାମୀ ଓ ବେଲାରସେନ ଜଙ୍ଗଲ ପାଖକୁ ନେଇ ଜବରଦସ୍ତ ଶାଢ଼ି ବ୍ଲାଉଜ ଖୋଲି ଏକ ବ୍ଲେଡରେ ହତ୍ୟା ଉଦ୍ୟମ କରିଥିଲେ। ମାନସୀ ପାଟି କରିବାରୁ ରାସ୍ତାରେ ଯାଉଥିବା ଲୋକେ ଉଦ୍ଧାର କରିଥିଲେ। ହେଲେ ସ୍ବାମୀ ଏବଂ ବେଲାରସେନ ସେଠାରୁ ଖସି ଯାଇଥିଲେ। ଜୀବନ ପ୍ରତି ବିପଦ ଅଛି ବୋଲି ମାନସୀ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ଥାନାଧିକାରୀ ଶ୍ରୀକାନ୍ତ ଖମାରୀଙ୍କୁ ପଚାରିବାରୁ ଏହି ଘଟଣାରେ ଆମେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ। ନଂ. ୧୭/୧୯ରେ ମାମଲା ରୁଜୁ ହୋଇଛି।