Categories: ଗଞ୍ଜାମ

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା, ହତ୍ୟା ଉଦ୍ୟମ: ଜେଲ ଗଲେ ଓଏପିଏଫ୍‌ କନ୍‌ଷ୍ଟେବଳ

ବ୍ରହ୍ମପୁର ଅଫିସ,୯ା୧୨-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ବଳପୂର୍ବକ ଗର୍ଭପାତ କରାଇବା ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ଓଏପିଏଫ କନ୍‌ଷ୍ଟେବଳଙ୍କୁ ବ୍ରହ୍ମପୁର ମହିଳା ଥାନା ପୋଲିସ ରବିବାର ଗିରଫ କରିଛି। ସେ ହେଲେ ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଇଞ୍ଜରଡ଼ାର ନୂତନ ଗମାଙ୍ଗ। ଓଏପିଏଫ କନଷ୍ଟେବଳ ଭାବେ ଆମ୍ବପୁଆ ରିଜର୍ଭ ଅଫିସରେ ନୂତନ କାମ କରୁଥିଲେ। ମାମଲା ନଂ.୧୨୫/୧୯ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ୨୦୧୦ ମାର୍ଚ୍ଚ ୯ ତାରିଖରେ ନୂତନ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେବାରୁ ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ଏପରିକି ଦ୍ୱିତୀୟ ଥର ସ୍ତ୍ରୀ ଗର୍ଭବତୀ ହୋଇଥିବା ବେଳେ ବଳପୂର୍ବକ ତାଙ୍କର ଗର୍ଭପାତ କରାଇଥିଲେ । କିଛିଦିନ ତଳେ ସ୍ତ୍ରୀଙ୍କୁ ସେ ହତ୍ୟା ଉଦ୍ୟମ କରିଥିଲେ। ସ୍ତ୍ରୀ କୌଣସି ଅନ୍ୟ ଉପାୟ ନ ପାଇ ଶେଷରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ତଦନ୍ତ ପରେ ପୋଲିସ ନୂତନଙ୍କୁ ଗିରଫ କରିଥିଲା।