ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗିଦେଲେ ସ୍ବାମୀ: ଡାଳ ଭିଙ୍ଗିଯିବାରୁ ବଞ୍ଚିଗଲେ ସ୍ତ୍ରୀ

ଆନନ୍ଦପୁର,୧୪।୬(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନଦୁଆଁ ଗ୍ରାମରେ ରଜ ଉତ୍ସବ ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ସ୍ତ୍ରୀଙ୍କୁ ମାଡ଼ମାରି ଗଛରେ ଟାଙ୍ଗି ଦେଇଥିଲେ ସ୍ବାମୀ। ତେବେ ଗଛ ଡାଳ ଭାଙ୍ଗିଯିବାରୁ ସ୍ତ୍ରୀ ବଞ୍ଚିଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ଭଦ୍ରକ ଜିଲା ଅଗରପଡ଼ା ଥାନା ଅନ୍ତର୍ଗତ ଘଣ୍ଟଗଡ଼ିଆ ଗାଁର ସ୍ବର୍ଗତ ଶଶିକାନ୍ତ ଦେହୁରୀଙ୍କ ବଡ଼ ଝିଅ ଗୌରୀଙ୍କ ସହ ପ୍ରାୟ ୭ବର୍ଷ ପୂର୍ବେ ଘସିପୁରା ଥାନା ନଦୁଆଁ ଗାଁର ମାଗୁଣି ଦେହୁରୀଙ୍କ ପୁଅ ପ୍ରମୋଦଙ୍କ ବିବାହ ହୋଇଥିଲା। ଉଭୟଙ୍କର ଏକ କନ୍ୟା ମଧ୍ୟ ଅଛନ୍ତି। ହେଲେ ପ୍ରମୋଦ ଗୌରୀଙ୍କୁ ବିଭିନ୍ନ ସମୟରେ ମାଡ଼ଗାଳି ଦେଉଥିଲେ। ଘସିପୁରା ଓ ଅଗରପଡ଼ା ଥାନାରେ ଏ ନେଇ ପୂର୍ବରୁ ଅଭିଯୋଗ ହୋଇ ଆପୋସ ସମାଧାନ ମଧ୍ୟ ହୋଇଥିଲା। ଗୌରୀଙ୍କ ମା’ ସସ୍ମିତାଙ୍କ କହିବା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଝିଅର ଡ୍ରେସ୍‌ କିଣିବାକୁ କହି ପ୍ରମୋଦ ଗୌରୀଙ୍କୁ ଦେଓଗାଁ ବଜାରକୁ ନେବାକୁ କହିଥିଲେ। ହେଲେ ଦେଓଗାଁ ନେବା ପରିବର୍ତ୍ତେ ଝାଡ଼କୁଣ୍ଡି ନିକଟରେ ଥିବା ଏକ କାଜୁ ଜଙ୍ଗଲକୁ ନେଇ ସେଠାରେ ତାଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ଦେଇଥିଲେ। ଗୌରୀ ବେହୋସ ହେବାପରେ ପିନ୍ଧା ଓଢ଼ଣିରେ ତାଙ୍କୁ ଏକ ଗଛରେ ଟାଙ୍ଗିଦେଇ ପଳାଇଥିଲେ। ହେଲେ ଗଛର ଡାଳଟି ଭାଙ୍ଗି ପଡିବାରୁ ସେ ତଳେପଡ଼ି ଯାଇଥିଲେ। ଶୁକ୍ରବାର ସକାଳୁ ହୋସ ଆସିବାପରେ ଗାଁ ନିକଟକୁ ଯାଇଥିଲେ। ଗାଁ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ବାପ ଘରକୁ ଖବର କରିଥିଲେ। ବାପଘର ଲୋକେ ପହଞ୍ଚି ଗୌରୀଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ଘସିପୁରା ପୋଲିସ୍‌ ପ୍ରମୋଦଙ୍କୁ ଖୋଜାଖୋଜି କରୁଛି । ହେଲେ ପ୍ରମୋଦ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ନିଜଆଡୁ ଘଟଣାର ଅନୁସନ୍ଧାନ ଜାରିରଖିଛି। ତଦନ୍ତ ପରେ ସତ୍ୟ ପଦାକୁ ଆସିବ ବୋଲି ଘସିପୁରା ଥାନା ଅଧିକାରୀ ବିରଞ୍ଚି ବାଗ୍‌ ସୂଚନା ଦେଇଛନ୍ତି।