Categories: ଗଞ୍ଜାମ

ସ୍ତନ୍ୟପାନ ସପ୍ତାହରେ ଫଳ, ଔଷଧ ବଣ୍ଟନ

ବ୍ରହ୍ମପୁର ଅଫିସ୍‌,୩ା୮-ଫ୍ରେଣ୍ଡ୍‌ସ ହେଲ୍‌ପିଂ କ୍ଲବ ତରଫରୁ ସ୍ଥାନୀୟ ଗିରି ମାର୍କେଟ ସ୍ନେହମ୍‌ ହଲ୍‌ରେ ଶୁକ୍ରବାର ସକାଳେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି। ଭାରତୀୟ ଶିଶୁ ବିଶେଷଜ୍ଞ ସଂଘ, ଗଞ୍ଜାମ ଜିଲା ଶାଖା ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ସଦ୍ୟ ମାତୃତ୍ୱ ଲାଭ କରିଥିବା ମହିଳାମାନଙ୍କୁ ଔଷଧ, ଫଳ ଏବଂ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଥିଲା। ଅତିଥି ଭାବେ ଭାରତୀୟ ଶିଶୁ ବିଶେଷଜ୍ଞ ସଂଘ ଗଞ୍ଜାମ ଜିଲା ଶାଖା ସଭାପତି ଡା. ଟି. ପ୍ରକାଶ ରାଓ, ସମ୍ପାଦକ ଡା. ଏସ୍‌.କେ. ବର୍ମା, ଫ୍ରେଣ୍ଡ୍‌ସ ହେଲ୍‌ପିଂ କ୍ଲବ ପୂର୍ବତନ ସଭାପତି ଇ. ରଘୁନନ୍ଦନ, ସଭାପତି ପି.କେ. ସୁବୁଦ୍ଧି, ମନୋଜ କୁମାର ପାଢୀ, କେ.ଏନ୍‌. ସେନାପତି, ଏସ୍‌. ଆନନ୍ଦ ରାଓ ଏବଂ ପ୍ରତିଷ୍ଠାତା ସଭାପତି ଏସ୍‌. ଆନନ୍ଦ ରାଓ ପ୍ରମୁଖ ଯୋଗଦେଇଥିଲେ। ଚଳିତ ବର୍ଷର ଥିମ୍‌ ‘ସ୍ତନ୍ୟପାନ ହିଁ ଜୀବନ ପାଇଁ ଅମୃତ’ ବିଷୟ ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଅମୃତତୁଲ୍ୟ ମା’ କ୍ଷୀର ହିଁ ଶିଶୁ ପାଇଁ ସର୍ବୋତ୍ତମ । ମାନବ ସମାଜ ପାଇଁ ଏହା ଏକ ଅମୂଲ୍ୟ ଉପହାର । ଶିଶୁ ପାଇଁ ସର୍ବୋତ୍କୃଷ୍ଟ ଦାନ। ମା’ ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ଲାଗି ପ୍ରୋତ୍ସାହିତ କରିବା ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ମା’ କ୍ଷୀର ଶିଶୁ ପାଇଁ ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସହଜରେ ହଜମ ହୋଇପାରିବା ଭଳି ଯଥେଷ୍ଟ ପରିମାଣର ପୁଷ୍ଟିସାର, ସ୍ନେହସାର, ଧାତୁସାର ସହ ସମସ୍ତ ଭିଟାମିନ୍‌ ଏବଂ ଲବଣ ରହିଛି । ଏହା ସମ୍ପୂୂର୍ଣ୍ଣ ଜୀବାଣୁ ମୁକ୍ତ । ଶିଶୁର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ। ଜନ୍ମର ଛ’ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା ଆବଶ୍ୟକ ବୋଲି ଅତିଥିମାନେ କହିବା ସହ କିଭଳି ଉପଯୁକ୍ତ ଉପାୟରେ ସ୍ତନ୍ୟପାନ କରାଯାଇପାରିବ, ସେ ସମ୍ପର୍କରେ ସଚେତନ କରିଥିଲେ ।