Categories: ଗଞ୍ଜାମ

ସ୍କୁଲ ଛାତ୍ରୀଛାତ୍ରଙ୍କ ସହ ଭିଡିଓ କନଫରେନ୍ସିଂ:ଦ୍ୱିତୀୟ ପୃଥିବୀ ସନ୍ଧାନରେ ଦିଆଗଲା ସୂଚନା

ଛତ୍ରପୁର,୩୦ା୭(ଡି.ଏନ.ଏ.)-ବ୍ରିଟିଶ ବୈଜ୍ଞାନିକ ଗବେଷଣା କେନ୍ଦ୍ର ପକ୍ଷରୁ ମହାକାଶରେ ଦ୍ୱିତୀୟ ପୃଥିବୀ ସନ୍ଧାନ କରାଯାଇଥିବା କୁହାଯାଉଛି। ଏହା ଉପରେ କେନ୍ଦ୍ର ବୈଜ୍ଞାନିକ ତଥା ପ୍ରଫେସର ଲୁଇସ୍‌ ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲାର ସ୍କୁଲ ଛାତ୍ରୀଛାତ୍ରଙ୍କୁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଛାତ୍ରୀଛାତ୍ରଙ୍କର ଏହା ଉପରେ ଥିବା ବିଭିନ୍ନ ସନ୍ଦେହ ଦୂର କରାଯାଇଥିଲା। ସନ୍ଧାନ ହୋଇଥିବା ଦ୍ୱିତୀୟ ପୃଥିବୀରେ ପାଣି ଅଛି କି ନାହିଁ ସେ ସମ୍ପର୍କରେ ଅନସ୍ଲୋ ସରକାରୀ ହାଇସ୍କୁଲ ଛାତ୍ର ପଦ୍ମନାଭ ଦଣ୍ଡ ପ୍ରଶ୍ନ କରିଥିଲେ। ଏହାର ସମ୍ଭାବନା ଥିବା କୁହାଯାଇଥିଲା। କେନ୍ଦ୍ର ପକ୍ଷରୁ ହୋଇଥିତ୍ବା ଗବେଷଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ସେଠାରେ ନାଇଟ୍ରୋଜେନ, ଅକ୍ସିଜେନ୍‌ ଓ ହାଇଡ୍ରୋଜେନ୍‌ ରହିଛି। ଦ୍ୱିତୀୟ ପୃଥିବୀରେ ଜୀବର ସତ୍ତା ଅଛି କି ନାହିଁ ସେ ଉପରେ ଗବେଷଣା ଚାଲିଥିବା ସୂଚନା ଦିଆଯାଇଛି। ମୋ ସ୍କୁଲ ଅଭିଯାନରେ ଛାତ୍ରୀଛାତ୍ରମାନଙ୍କୁ ଏହି ଇ-ଶିକ୍ଷା ପ୍ରଦାନ କରାଯାଇଛି। ଏଥିରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ଅନସ୍ଲୋ ସରକାରୀ ହାଇସ୍କୁଲ ଶିକ୍ଷୟିତ୍ରୀ ଦେବସ୍ମିତା ମହାନ୍ତିଙ୍କ ସମେତ ଛତ୍ରପୁରସ୍ଥିତ ଅନସ୍ଲୋ ହାଇସ୍କୁଲ, ବାଳିକା ହାଇସ୍କୁଲ, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବ୍ରହ୍ମପୁର ଭି.ଭି. ଗିରି ସ୍କୁଲର ୯ମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ।