ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା

ଭୋଗରାଇ,୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଡିହକଖଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ଏବଂ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଭଳି ଘଟଣା ନେଇ ସୋମବାର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଶତାଧିକ ଗ୍ରାମବାସୀ ଓ ଛାତ୍ରୀଛାତ୍ର ସ୍କୁଲ ଗେଟ୍‌ରେ ତାଲା ପକାଇ ୧ ଘଣ୍ଟା ଧାରଣା ଦେଇ ବସିଥିଲେ। ଭୋଗରାଇ ସହକାରୀ ଶିକ୍ଷା ଅଧିକାରୀ ଯୋଗେଶ୍ୱର ଜେନା ଓ ସିଆର୍‌ସିସି ଅଶୋକ କୁମାର ସାହୁ ପହଞ୍ଚତ୍ ଗ୍ରାମବାସୀଙ୍କ ସମେତ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ। ଅଭିଭାବକଙ୍କଠାରୁ ସମସ୍ତ ଅଭିଯୋଗ ଶୁଣିବା ପରେ ସେମାନେ ଶିକ୍ଷାନୁଷ୍ଠାନ ସ୍ଥିତି ଅନୁଧ୍ୟାନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଗ୍ରାମବାସୀ ଓ ଛାତ୍ରୀଛାତ୍ର ଆନ୍ଦୋଳନରୁ ଓହରିଥିଲେ।
ସ୍କୁଲ ପରିଚାଳନା କମିଟିର ସଭାପତି କୃପାସିନ୍ଧୁ ଗିରି, ଉପସଭାନେତ୍ରୀ ଶାନ୍ତିଲତା ଗିରି, ସମିତିସଦସ୍ୟ କମଳଲୋଚନ ଜେନା, ୱାର୍ଡ଼ମେମ୍ବର ରୁନୁ ମହାନ୍ତି, ଗୀତାରାଣୀ ଜେନା ପ୍ରମୁଖ କହିଥିଲେ, ଶିକ୍ଷାନୁଷ୍ଠାନରେ ପରିଚାଳନାଗତ ଅବ୍ୟବସ୍ଥା ଦୂର ନ ହେବାରୁ ଗ୍ରାମବାସୀ ବାଧ୍ୟହୋଇ ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିବା ଭଳି ଚରମ ପଦକ୍ଷେପ ନେଇଛନ୍ତି। ମଧ୍ୟାହ୍ନଭୋଜନ ଅନିୟମିତତା ସମ୍ପର୍କରେ ପୂର୍ବରୁ ଅଭିଯୋଗ କରାଯାଇଥିଲା। ସ୍କୁଲର ରେକର୍ଡ଼ପତ୍ର ଅନ୍ୟତ୍ର ନିଆଯିବା, ଦୀର୍ଘଦିନ ଧରି ପ୍ରଧାନ ଶିକ୍ଷକ ଅନୁପସ୍ଥିତ ରହିବା ଏବଂ ଛାତ୍ରୀଛାତ୍ରଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ଭଳି ଘଟଣା ଅଭିଭାବକଙ୍କ ସମେତ ଗ୍ରାମବାସୀଙ୍କୁ କ୍ଷୁବ୍ଧ କରିଛି। ଭୋଗରାଇ ସହକାରୀ ଶିକ୍ଷା ଅଧିକାରୀ ଓ ସିଆର୍‌ସିସି ଏସବୁ ଅଭିଯୋଗ ସମ୍ପର୍କରେ ଫୋନ କରି ବ୍ଲକ ଶିକ୍ଷାଧିକାରୀ କାଳନ୍ଦୀଚରଣ ସୋରେନଙ୍କୁ ଅବଗତ କରାଇଥିଲେ। ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିବା ଲାଗି ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ସୁପାରିଶ କରଯିବା ସହ ଆଗାମୀ ୭ ଦିନରେ ନୂତନ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ସୋରେନ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡିଥିଲା। ଏପରିକି ପୂର୍ବରୁ ପ୍ରଧାନଶିକ୍ଷକଙ୍କର ୨ ମାସର ଦରମା ଅଟକାଇ ରଖାଯାଇଥିବାର ଉପସ୍ଥିତ ଅଧିକାରୀ ସୂଚନା ଦେଇଥିଲେ। ଉଲ୍ଳେଖନୀୟ ଯେ, ଏହି ବିଦ୍ୟାଳୟରେ ୧୩୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପ୍ରଧାନଶିକ୍ଷକଙ୍କୁ ମିଶାଇ ୩ ଜଣ ଶିକ୍ଷକ ରହିଛନ୍ତି।