Categories: ରାଜ୍ୟ

ସ୍କୁଲ ଖୋଲୁ ଖୋଲୁ ଶିକ୍ଷୟିତ୍ରୀଙ୍କୁ କରୋନା

ବରଗଡ଼ ଅଫିସ୍‌,୧୩।୧: ରାଜ୍ୟରେ ଗତ ୮ ତାରିଖରୁ ହାଇସ୍କୁଲଗୁଡ଼ିକ ଖୋଲିଛି। କେବଳ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ପାଠପଢ଼ା ଚାଲିଛି। ନିୟମିତ ଛାତ୍ରୀଛାତ୍ର ମଧ୍ୟ ସ୍କୁଲକୁ ଆସୁଛନ୍ତି । ତେବେ ସ୍କୁଲ ଖୋଲିବା ପରେ ବରଗଡ଼ ଜିଲାର ଏକ ବାଳିକା ହାଇସ୍କୁଲରେ ଜଣେ ଶିକ୍ଷୟିତ୍ରୀ କରୋନା(କୋଭିଡ୍‌-19)ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତ ଶିକ୍ଷୟିତ୍ରୀ ଜଣକ ହୋମ ଆଇସୋଲେଶନରେ ଅଛନ୍ତି । ସେହିପରି ଖୋଲିବା ପୂର୍ବରୁ ସ୍କୁଲକୁ ସାନିଟାଇଜ୍‌ କରାଯାଇଥିଲା ଏବଂ ଶିକ୍ଷୟିତ୍ରୀଙ୍କ ପଜିଟିଭ୍‌ ବାହାରିବା ପରେ ସମ୍ପୃକ୍ତ ସ୍କୁଲକୁ ପୁଣି ଥରେ ସାନିଟାଇଜ୍‌ କରାଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ କହିଛନ୍ତି । ଉକ୍ତ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସଂଖ୍ୟା ୨୭ ହୋଇଥିବା ବେଳେ ସ୍କୁଲ ଖୋଲିବା ଦିନଠାରୁ ନିୟମିତ ୨୦ରୁ ଅଧିକ ଛାତ୍ରୀ ଆସୁଛନ୍ତି । ଅନ୍ୟପଟେ ସ୍କୁଲ ଖୋଲିବା ଦିନଠାରୁ ଜିଲାର ସ୍କୁଲଗୁଡ଼ିକରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଉପସ୍ଥାନ ବଢ଼ି ଚାଲିଛି । ସ୍କୁଲ ଖୋଲିବା ଦିନ ଉପସ୍ଥାନ ହାର ୭୩ ପ୍ରତିଶତ ଥିବାବେଳେ ବୁଧବାର ୮୧.୯ ପ୍ରତିଶତକୁ ବୃଦ୍ଧି ପାଇଛି । ପ୍ରକାଶଥାଉକି, ବୁଧବାର ବରଗଡ଼ ଜିଲାରେ ୮ ନୂଆ କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଏବଂ ୫ଜଣ ପୁରୁଷ ଅଛନ୍ତି । ଆକ୍ରାନ୍ତମାନେ ବରଗଡ଼, କନକବିରା, ପାଇକମାଲ, ଭୁକ୍ତା ଏବଂ ଅଡ଼ଗାଁ, କଟାପାଲିର ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ୩୩୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୦ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ ୧୦ହଜାର ୧୨୭ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ଦିଆଯାଇଛି।