ସ୍କାନରରେ ଜିଲାପାଳ କାର୍ଯ୍ୟାଳୟ କର୍ମଚାରୀ

ଅନୁଗୋଳ ଅଫିସ, ୧୬।୯: ଅନୁଗୋଳ ଜିଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ ଘଟଣାରେ ଗିରଫ ହୋଇଥିବା ସମ୍ପୃକ୍ତ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଶକ୍ତି ବେଦାନ୍ତଙ୍କ କାରନାମା ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏତେ ଚତୁରତାର ସହ ପ୍ରଶାସନିକ ଅଧିକାରୀଙ୍କ ଜାଲ୍‌ ଦସ୍ତଖତ କରି ଟଙ୍କା ଲୁଟ୍‌ କରିବା ଏବଂ ଏ ସମ୍ପର୍କରେ କିପରି କେହି ଜାଣିପାରିଲେନି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପଟେ ଏହି ଲୁଟ୍‌ ଘଟଣାରେ ଜିଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ସମ୍ପୃକ୍ତ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଏପରିକି ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଓ ନିଜାରତଙ୍କୁ ପୋଲିସ ପଚରାଉଚରା କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଆଉ କିଛି କର୍ମଚାରୀ ପୋଲିସ ସ୍କାନରରେ ଥିବାବେଳେ ସୋମବାର କାର୍ଯ୍ୟାଳୟ ଖୋଲିବା ପରେ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି।