ସ୍କର୍ପିଓରେ ଆସି ୪ ଛେଳି ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୬।୧୨(ଡି.ଏନ୍‌.ଏ.): ବର୍ତ୍ତମାନ ଇଂରାଜୀ ନବବର୍ଷ ପାଳନ ଲାଗି ଗ୍ରାମଠାରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଏହାକୁ ନେଇ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମୁଛି। ଏପରିସ୍ଥଳେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଜିରାବାଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଚାଷୀଙ୍କ ଘରୁ କିଛି ଦୁର୍ବୃତ୍ତ ଛେଳି ଚୋରି କରିଥିବା ଜଣାପଡ଼ିଛି।
ବୁଧବାର ରାତି ୨ଟାରେ ସୁମା ମୁଳି(ଛେଳି ଚାଷୀ) ଛେଳିମାନଙ୍କ ଚିତ୍କାର ଶୁଣି ଘର ବାହାରକୁ ଆସିଥିଲେ। ସେଠାରେ ସେ ଏକ ସ୍କର୍ପିଓରେ କିଛି ଲୋକେ ଜୋର ଜବରଦସ୍ତ ଛେଳି ଭର୍ତ୍ତି କରୁଥିବା ଦେଖିବାକୁ ପାଇଥିଲେ। ଏହାଦେଖି ସେ ପଡ଼ୋଶୀଙ୍କୁ ସହଯୋଗ ପାଇଁ ଡାକ ପକାଇଥିଲେ। ତିନିଜଣ ପଡ଼ୋଶୀ ଆସି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଏପରିକି ସେମାନେ ୪ଟି ଛେଳି ନେଇ ଚମ୍ପଟ ମାରିଥିଲେ। ଛେଳିର ମୂଲ୍ୟ ୨୫ହଜାର ହେବ ବୋଲି ସୁମା କହିଛନ୍ତି। ଏ ନେଇ ସ୍ଥାନୀୟ ଲୋକେ ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ବଣଭୋଜି ଲାଗି କେହି ଛେଳିଗୁଡ଼ିକୁ ଚୋରି କରିଥିବା ନେଇ ଚର୍ଚ୍ଚା ହେଉଛି।