ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ଅଭିଯୋଗ, ପୁରୀଘାଟ ଥାନାରେ ଅନୁଭବଙ୍କ ନାମରେ ଏତଲା ଦେଲେ ମଞ୍ଜିତ

କଟକ ଅଫିସ,୨୨।୧୦: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଏବଂ ଛାତ୍ର ବିଜେଡି ଉପସଭାପତି ମଞ୍ଜିତ ଦାସଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଅନୁଭବଙ୍କ ନାମରେ କଟକ ପୁରୀଘାଟ ଥାନାରେ ମଙ୍ଗଳବାର ମାନହାନୀ ଅଭିଯୋଗ କରିଛନ୍ତି ମଞ୍ଜିତ। ସୋସିଆଲ ମିଡିଆରେ ଅନୁଭବ ତାଙ୍କ ନାମରେ ଅପପ୍ରଚାର କରୁଛନ୍ତି। ଫଳରେ ତାଙ୍କର ସମ୍ମାନହାନି ହେଉଛି। ଏଣୁ ଅନୁଭବଙ୍କ ବିରୋଧରେ ଆଇଟି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।

ପ୍ରକାଶଯୋଗ୍ୟ, ମଞ୍ଜିତ ହେଉଛନ୍ତି ଅନୁଭବଙ୍କ ପଡୋଶୀ। ସେପ୍ଟେମ୍ବର ୨୯ ରାତିରେ କୌଣସି କଥାକୁ ନେଇ ମଞ୍ଜିତଙ୍କ ସହ କିଛି ଯୁବକଙ୍କ କଥା କଟାକଟି ହେଉଥିଲା। ଏହାଶୁଣି ଅନୁଭବ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ମଞ୍ଜିତ ନିଶାରେ ଥିବାରୁ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଅନୁଭବ ପୁରୀଘାଟ ଥାନାକୁ ଫୋନ କରିଥିଲେ ହେଁ ଥାନାଧିକାରୀ ଓଲଟା ତାଙ୍କୁ ଦୁର୍ବବ୍ୟହାର କରିଥିଲେ ବୋଲି ଅନୁଭବ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ଟୁଇଟ କରି ଅଭିଯୋଗ କରିଥିଲେ।