ସୋସିଆଲ୍‌ ମିଡିଆରେ ଅପପ୍ରଚାର କରି ୪ ଗିରଫ

କେନ୍ଦୁଝର, ୬ା୪(ଡି.ଏନ୍‌.ଏ.)-କରୋନାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରିବା ୪ଜଣ ଯୁବକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ କେନ୍ଦୁଝର ଟାଉନ ପୋଲିସ ରବିବାର ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଗତ ୩୧ ତାରିଖ ରାତି ୧୦ଟା ୪୧ ମିନିଟ୍‌ରେ ଭଦ୍ରକରେ ରାଜ୍ୟର ଚତୁର୍ଥ କରୋନା ପଜିଟିଭ୍‌ ଚିହ୍ନଟ ନେଇ ଏକ ନ୍ୟୁଜ୍‌ ଚ୍ୟାନେଲରେ ବ୍ରେକିଂ ନିଉଜ୍‌ ପ୍ରସାରଣ ହୋଇଥିଲା। ଏହି ଖବର ଏକ ସ୍କ୍ରିନ ସଟ୍‌ ନେଇ ଜଣେ ଯୁବକ ଏହାକୁ ଏଡିଟିଂ କରି କେନ୍ଦୁଝର ଜିଲାର ମଇଦାନକେଲରେ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ବୋଲି ଏକ ଗୁଜବ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଖବର ସାରା ଜିଲାରେ ବ୍ୟାପି ଯାଇଥିବା ବେଳେ ଜିଲାରେ ଭୟର ବାତାବରଣ ଖେଳିଯାଇଥିଲା। ଏନେଇ ଉକ୍ତ ନ୍ୟୁଜ୍‌ ଚ୍ୟାନେଲ ପକ୍ଷରୁ କେନ୍ଦୁଝର ଟାଉନ ଥାନାରେ ଏତଲା ଦିଆଯାଇଥିଲା। ଏହାକୁ କେନ୍ଦୁଝର ପୋଲିସ ଗୁରୁତର ଭାବେ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅପପ୍ରଚାରକାରୀଙ୍କୁ ଖୋଜା ଆରମ୍ଭ କରିଥିଲା। ଶେଷରେ କୁଣ୍ଢେଇ ଗ୍ରାମର ମାନସ କୁମାର ମହାନ୍ତ ଏହାକୁ ଏଡିଟିଂ କରି ତାଙ୍କ ସାଙ୍ଗ ସୂର୍ଯ୍ୟନାରାୟଣ ଘଣାଙ୍କ ହ୍ବାଟସଆପ୍‌ରେ ପଠାଇଥିଲେ। ତା’ପରେ ସୂଯର୍‌ୟନାରାୟଣ ଏହାକୁ ତାଙ୍କ ସାଙ୍ଗ ତ୍ରିଲୋଚନ ବାରିକଙ୍କୁ ପଠାଇଥିଲେ। ତ୍ରିଲୋଚନ ପୁଣି ଜିତୁ ପ୍ରଧାନଙ୍କୁ ହ୍ବାଟସଆପ୍‌ ସେୟାର କରିଥିଲେ। ଜିତୁ ପ୍ରଧାନ ଖାଣ୍ଟି କେନ୍ଦୁଝରିଆ ନାମକ ଏକ ହ୍ବାଟସଆପ୍‌ ଗ୍ରୁପରେ ପୋଷ୍ଟ କରି ଦେବାରୁ ଏହି ଗୁଜବ କ୍ଷୀପ୍ର ଗତିରେ ସାରା ଜିଲାରେ ପ୍ରଚାରିତ ହୋଇଥିଲା। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।