ସୋଲାର ସିଷ୍ଟମ ଅଚଳ, ପାଣି ପାଇଁ ହଇରାଣ

କେନ୍ଦୁଝର, ୯।୬(ସ୍ବ.ପ୍ର.) – ଯୋଡ଼ା ବ୍ଲକ ଅନ୍ତର୍ଗତ ଖଣି ଖାଦାନ ବହୁଳ ବଲାଣି ପଞ୍ଚାୟତ ଅନ୍ତର୍ଗତ ଜୁର୍ମିତା ତଳସାହିରେ ସୋଲାର ସିଷ୍ଟମ ଅଚଳ ଯୋଗୁ ବର୍ଷେ ହେଲା ଲୋକମାନେ ଜଳ ସଙ୍କଟରେ ଅଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆ ଯାଉନାହିଁ। ଉକ୍ତ ସାହିରେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଲୋକଙ୍କ ପାଣି ସମସ୍ୟା ସମାଧାନ କରିବା ପାଇଁ ନଳକୂପ ଖନନ କରାଯାଇଥିଲା। ହ୍ୟାଣ୍ଡ ପମ୍ପ ମାରି ପାଣି ନେଉଥିଲେ। ପ୍ରାୟ ବର୍ଷେ ପରେ ଏହାକୁ ସୋଲାର ସିଷ୍ଟମ କରାଗଲା। ପମ୍ପର ହ୍ୟାଣ୍ଡେଲକୁ କେହି ଖୋଲି ନେଇଗଲେ। ଗତ ମାର୍ଚ୍ଚ ମାସରେ ସୋଲାର ସିଷ୍ଟମ ଖରାପ ହୋଇଯିବାରୁ ପାଣି ଯୋଗାଣ ବନ୍ଦ ହୋଇଗଲା। ଫଳରେ ଲୋକମାନେ ଅକଥନୀୟ ଦୁର୍ଦ୍ଦଶାରେ ରହୁଛନ୍ତି। ପାଣି ପାଇଁ ଦୂରକୁ ଯିବାକୁ ପଡୁଥିବା ବେଳେ ଖରା ଦିନରେ ବହୁ କଷ୍ଟ ଭୋଗୁଥିବା ସ୍ଥାନୀୟ ଗ୍ରାମବାସୀ ଶୁକୁରା ମୁଣ୍ଡା, ଦସରା ମୁଣ୍ଡା ସମେତ ଅନ୍ୟମାନେ କହିଛନ୍ତି। ଏଣୁ ତୁରନ୍ତ ସୋଲାର ସିଷ୍ଟମ ସଜାଡିବାକୁ ସେମାନେ ନିବେଦନ କରିଛନ୍ତି।