Categories: ଖେଳ

ସେରେନା, ଫେଡରରଙ୍କ କଷ୍ଟସାଧ୍ୟ ବିଜୟ

ନ୍ୟୁୟର୍କ, ୩୦ା୮ (ଏଏଫ୍‌ପି)- ଚଳିତ ୟୁଏସ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ସେରେନା ଓ୍ବିଲିୟମ୍ସ ଓ ଗତଥର ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ନୋଭାକ୍‌ ଜୋକୋଭିଚ୍‌ଙ୍କ ଭଳି ଖେଳାଳି କଷ୍ଟସାଧ୍ୟ ବିଜୟ ସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବର୍ଷାରେ ବାଧାପ୍ରାପ୍ତ ଖେଳରେ ରୋଜର ଫେଡରର ଭଲ ଆରମ୍ଭ କରି ନ ଥିଲେ ମଧ୍ୟ ତାଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଏଠାରେ କ୍ୟାରିୟରର ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ସହ ମାର୍ଗାରେଟ୍‌ କୋର୍ଟଙ୍କ ଅଲ୍‌ ଟାଇମ୍‌ ରେକର୍ଡ ସମକକ୍ଷ ହେବା ଲକ୍ଷ୍ୟରେ ଥିବା ୮ମ ସିଡ୍‌ ଆମେରିକୀୟ ଖେଳାଳି ସେରେନା ନିଜ ଦେଶର ୧୭ବର୍ଷୀୟା କ୍ୟାଟି ମ୍ୟାକ୍‌ନାଲିଙ୍କୁ ୫-୭, ୬-୩, ୬-୧ ସେଟ୍‌ରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସୂଚନାଯୋଗ୍ୟ ଓ୍ବିଲିୟମ୍ସ ୧୯୯୯ରେ ଯେତେବେଳେ ତାଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଥିଲେ ସେତେବେଳେ ମ୍ୟାକନାଲିି ଜନ୍ମ ହୋଇ ନ ଥିଲେ। ଆର୍ଥର ଆଶେ ଷ୍ଟାଡିୟମରେ ସେ ସେରାନାଙ୍କୁ କଡ଼ା ଟକ୍ୱର ଦେଇଥିଲେ। ବାମ କାନ୍ଧରେ ଯନ୍ତ୍ରଣା ସତ୍ତ୍ୱେ ଜୋକୋଭିଚ୍‌ ୫୬ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଆର୍ଜେଣ୍ଟିନାର ଜୁଆନ ଇଗ୍ନାସିଓ ଲଣ୍ଡେରୋଙ୍କୁ ୬-୪, ୭-୭ (୭/୩), ୬-୧ ସେଟ୍‌ରେ ପରାସ୍ତ କରିଥିଲେ। ୨୦୦୮ରେ ଶେଷ ଥର ୟୁଏସ ଓପନ ଜିତିଥିବା ଫେଡରର ୯୯ ର଼୍ୟାଙ୍କିଙ୍ଗପ୍ରାପ୍ତ ବୋସନିଆର ଦାମିର ଦିଜୁମହରଙ୍କ ବିପକ୍ଷରେ ୩-୬, ୬-୨, ୬-୩, ୬-୪ ସେଟ୍‌ରେ ବିଜୟ ହାସଲ କରି ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଖେଳାଯାଇଥିବା ଅନ୍ୟ ମ୍ୟାଚଗୁଡ଼ିକରେ କେଇ ନିଶିକୋରୀ, ଅଷ୍ଟ୍ରେଲିଆର ଆଶଲେ ବାର୍ଟି, ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭା, ୟୁକ୍ରେନର ଏଲିନା ସ୍ବିତୋଲିନା ଏବଂ ଆମେରିକାର ମାଡିସନ କିଜ୍‌ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ସ୍ବିତୋଲିନା ୭ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଭେନସ ଓ୍ବିଲିୟମ୍ସଙ୍କୁ ୬-୪, ୬-୪ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି।

Share