ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଏସ୍‌ସିଏସ୍‌ କଲେଜ ଛାତ୍ରୀଛାତ୍ରଙ୍କ ଧାରଣା

ପୁରୀ ଅଫିସ,୧୧।୬: ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଗୁରୁବାର ସାମନ୍ତ ଚନ୍ଦ୍ରଶେଖର ସ୍ବୟଂ ଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ର ଛାତ୍ରୀଛାତ୍ରମାନେ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ସମ୍ପ୍ରତି ମହାମାରୀ କରୋନା ପରିପ୍ରେକ୍ଷୀରେ ଆଗକୁ ହେବାକୁ ଥିବା ଷଷ୍ଠ ସେମିଷ୍ଟାର ପରୀକ୍ଷାକୁ ବାତିଲ କରିବା ଲାଗି ସେମାନେ ଦାବି ରଖିଛନ୍ତି। ଛାତ୍ରୀଛାତ୍ରମାନେ କହିଛନ୍ତି ଯେ, ମହାବିଦ୍ୟାଳୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପିଲାମାନେ ପାଠ ପଢ଼ୁଛନ୍ତି। ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇନାହିଁ। ଛାତ୍ରୀଛାତ୍ରମାନେ ବ୍ୟକ୍ତିଗତ ଭାବେ ଗାଡ଼ି ଭଡ଼ା କରି ଆସିବା ସମ୍ଭବ ନୁହେଁ। ଏହାଛଡ଼ା କରୋନା ଭୂତାଣୁ ସଂକ୍ରମଣର ମଧ୍ୟ ଭୟ ରହିଛି। ଏସବୁ ଦୃଷ୍ଟିରୁ ପରୀକ୍ଷା ବାତିଲ କରିବା ଲାଗି ଛାତ୍ରୀଛାତ୍ରମାନେ କଲେଜ ଅଧ୍ୟକ୍ଷଙ୍କ ଜରିଆରେ ଉଚ୍ଚ ଶିକ୍ଷା ବିଭାଗ ନିକଟକୁ ଦାବି ପତ୍ର ପଠାଇଥିବା ସୂଚନା ମିଳିଛି।