Posted inଫୁରସତ

ସେଦିନର ଶୀତ

ଋତୁ ଆସେ ଋତୁ ଯାଏ। ହେଲେ ପ୍ରତି ଋତୁ ସହ ଯୋଡି ହୋଇ ରହିଯାଏ କିଛି ସ୍ମୃତି ଓ ଅନୁଭୂତି। ଆଉ ଶୀତ ଏମିତି ଏକ ଋତୁ ସେ ଯେତିକି କଷ୍ଟ ଦିଏ, ତା’ଠୁ ବେଶି ଦିଏ ମିଠା ମିଠା ଅନୁଭୂତି। ଗାଁରେ ବିତିଥିବା ଶୀତର ଅନୁଭୂତି ତ ଭୁଲି ହୁଏନା ଜୀବନ ସାରା…
ଋତୁ
ଆସେ ଋତୁ ଯାଏ। ହେଲେ ପ୍ରତି ଋତୁ ସହ ଯୋଡି ହୋଇ ରହିଯାଏ କିଛି ସ୍ମୃତି ଓ ଅନୁଭୂତି। ଆଉ ଶୀତ ଏମିତି ଏକ ଋତୁ ସେ ଯେତିକି କଷ୍ଟ ଦିଏ, ତା’ଠୁ ବେଶି ଦିଏ ମିଠା ମିଠା ଅନୁଭୂତି। ଗାଁରେ ବିତିଥିବା ଶୀତର ଅନୁଭୂତି ତ ଜୀବନ ସାରା ଭୁଲି ହୁଏନା। ହାଡ଼ଭଙ୍ଗା ଶୀତରେ ବସି ଏକାଠି ନିଆଁ ପୁଆଁଇ ଭୂତ କାହାଣୀଶୁଣିବାଠାରୁ ଆରମ୍ଭ କରି ଥୁରୁ ଥୁରୁ ହୋଇ ହାତକୁ ହାତ ଛନ୍ଦି ସ୍କୁଲକୁ ଯିବା, ଖରାରେ ବସି ପାଠ ପଢିବା ବାହାନାରେ ଗପ ବହି ପଢିବା, ଜାତି ଜାତିକା ଫୁଲର ସମ୍ଭାର ସାଙ୍ଗକୁ ଆମ୍ବ ବଉଳର ମହ ମହ ବାସ୍ନାରେ ମନ ଆନମନା ହେବା। ଏସବୁ ଅନୁଭୂତି କେବଳ ଗାଁର ଶୀତ ହିଁ ଦେଇଥାଏ। ସେମିତି କିଛି ସ୍ମୃତି ଓ ଅନୁଭୂତିର କଥା କହିଛନ୍ତି କେତେଜଣ ବିଶିଷ୍ଟ ବ୍ୟକ୍ତି…
ଶୀତଦିନ ଲେଖାଲେଖି ପାଇଁ ଉତ୍କୃଷ୍ଟ ସମୟ-ବିଭୂତି ପଟ୍ଟନାୟକ, ସାହିତି୍ୟକ
ଜଗତ୍‌ସିଂହପୁରରୁ ୩ ମାଇଲ ଉତ୍ତରରେ ପଳାଶୋଳ ପଞ୍ଚାୟତ। ଏହି ପଞ୍ଚାୟତର ବିଙ୍ଗେଶ୍ୱର ହେଉଛି ଆମ ଗାଁ। ଆମେ ଥିଲୁ ମଫସଲର ପିଲା। ଗାଁ ପୋଖରୀରେ ପାଣିକୁଆ ପରି ବୁଡ଼ିବା, ଗାଁ ଦାଣ୍ଡରେ ଧୂଳି ଉଡ଼େଇ ନାନା ଖେଳ ଖେଳିବାର ମଜା ଆମେ ବେଶ୍‌ ଉଠେଇଛୁ। ତା’ସହ ଗାଁରେ ସବୁ ଋତୁର ଅନୁଭବକୁ ବି ସାଉଁଟିଛୁ। ଗାଁ ଗହଳିରେ ସେତେବେଳେ ବହୁତ ଖୋଲାମେଲା ଜାଗା ରହୁଥିବାରୁ ଶୀତ ବହୁତ ତୀବ୍ର ହେଉଥିଲା। ଛୁଞ୍ଚତ୍ ପରି ଦେହରେ ଫୋଡି ହୋଇଯାଉଥିଲା। ଆଜିକାଲି ସହରୀ ଜୀବନରେ ତ ଅତି ବେଶିରେ ଗୋଟିଏ ମାସ ଶୀତ ଅନୁଭୂତ ହେଉଛି। ହେଲେ ସେତେବେଳେ ହେଉଥିଲା ଚାରି ମାସର ହାଡ଼ଭଙ୍ଗା ଶୀତ। ଆଉ ଶୀତକୁ ନେଇ ମୋର ରହିଛି ଅନେକ ସ୍ମୃତି ଓ ଅନୁଭୂତି। ମୁଁ ଜଗତ୍‌ସିଂହପୁର ହାଇସ୍କୁଲରେ ପଢୁଥିଲି। ଘରଠୁ ସ୍କୁଲ ୩ ମାଇଲ ଦୂର ଥିଲା। ବିଲ, ନାଳ, ଗାଁ ଡେଇଁ ସ୍କୁଲକୁ ଯିବାକୁ ପଡୁଥିଲା। ଆଖପାଖ ଗାଁର ୭-୮ ଜଣ ସାଙ୍ଗ ମିଶିକି ସ୍କୁଲ ଯାଉଥିଲୁ। ସାଙ୍ଗ ହେଇ ଗଲାବେଳେ ଶୀତ ଏତେଟା ଅନୁଭୂତ ହେଉ ନ ଥିଲା। ବାଟରେ ଗଲାବେଳେ ଚାଷ ଜମିରେ ଚାଷୀମାନେ ଶୁଖିଲା କିଆ ବୁଦା ମୂଳରେ ଛଣ ପକାଇ ନିଆଁ ଲଗାଇ, ତା’ ଚାରିପଟେ ବସି ନିଆଁ ପୁଆନ୍ତି। ଆଉ ଆମେ ବି କିଛି ସମୟ ସେଠି ଅଟକି ଯାଇ ନିଆଁ ପୁଆଉଁଥିଲୁ। ସେତେବେଳେ ତ ଆମେ ଖାଲି ପାଦରେ ଚାଲିଚାଲି ସ୍କୁଲ ଯାଉଥିଲୁ। ସାଇକେଲ ବହୁତ କମ୍‌ ଥିଲା। ଗାଡ଼ି କହିଲେ ବସ୍‌ ହିଁ ଥିଲା, ସେ ପୁଣି କାଁ ଭାଁ। ପାଦରେ କାକର ବାଜି ପାଦ କାଲୁଆ ହୋଇଯାଉଥିଲା। ସୁଲୁସୁଲିଆ ଥଣ୍ଡା ପବନ ବାଜି ଦେହ ଶୀତେଇ ଯାଉଥିଲା। ବିଲ ବାଟ ଦେଇ ଗଲାବେଳେ ଧାନଖୁଣ୍ଟା ବାଜି ଗୋଡ ଖଣ୍ଡିଆ ହୋଇଯାଉଥିଲା। ଶୀତବସ୍ତ୍ର କହିଲେ ହାତବୁଣା ହାଫ ସ୍ବେଟର ଥିଲା। ସେତେବେଳେ ଫୁଲ ସ୍ବେଟର ଏତେ ନ ଥିଲା। ପ୍ରବଳ କୋହଲା ପାଗରେ ଏତେ ବାଟ ଯିବାକୁ ପଡୁଥିଲା। ସ୍କୁଲରେ ପହଞ୍ଚତ୍ବାବେଳକୁ ଥଣ୍ଡାରେ ହାତ କୋଲ ମାରିଯାଉଥିଲା। ମୋର ମନେପଡୁଛି ହାଇସ୍କୁଲ ପଢିଲାବେଳେ ଡିସେମ୍ବର ମାସରେ ବଡଦିନ ଛୁଟି ପୂର୍ବରୁ ଷାଣ୍ମାସିକ ପରୀକ୍ଷା ହୁଏ। ୧୦-୧୨ ଓ ୧-୩ଟା ଯାଏଁ ଦୁଇଟା ସିଫ୍ଟରେ ହେଉଥିଲା। ସକାଳ ସିଫ୍ଟ ଥିଲେ ମତେ ଏକୁଟିଆ ଯିବାକୁ ପଡୁଥିଲା। ଦିନେ ପରୀକ୍ଷାବେଳେ ସ୍କୁଲରେ ପହଞ୍ଚତ୍ଲାବେଳକୁ ଥଣ୍ଡାରେ ମୋ ହାତ ଜୋର୍‌ରେ ଥରୁଥାଏ। ସେଥିପାଇଁ ପ୍ରଶ୍ନର ଉତ୍ତର ଆସୁଥିଲେ ହେଁ ଯେତେ ଚେଷ୍ଟା କରି ବି ଲେଖିବା ସମ୍ଭବ ହେଉ ନ ଥିଲା। ଏଣେ ସମୟ ବିତି ଯାଉଥିଲା। ଇଂଲିଶର ଗୋପାଳ ସାର୍‌ କହିଲେ କ’ଣ ହେଲା ଲେଖୁନୁ ଯେ? ମୁଁ କହିଲି ଥଣ୍ଡାରେ ହାତ କୋଲାପ୍ସ ହେଇ ଥରୁଛି। ସେଥିପାଇଁ ଲେଖି ହେଉନି। ସାର୍‌ କହିଲେ ଗୋଟେ କାମ କର, ହାତ ଦୁଇଟିକୁ ପ୍ୟାଣ୍ଟ ପକେଟ୍‌ରେ ପୂରାଇ କିଛି ସମୟ ରଖ। ମୁଁ ସେଇୟା କଲି। ୫-୧୦ ମିନିଟ ପରେ ହାତରେ କଲମ ଧରିପାରିଲି। ଅକ୍ଷର କିନ୍ତୁ ବଙ୍କା ଟଙ୍କା ହେଲା। କିଛି ସମୟ ପରେ ହାତ ପୂରା ଠିକ୍‌ ହୋଇଗଲା। ଆଉ ପ୍ରଶ୍ନର ଉତ୍ତର ଭଲରେ ଲେଖିପାରିଲି। ହେଲେ ସେଥର ମାର୍କ କମି ଯାଇଥିଲା। ସେଦିନ ମୁଁ ଯେଉଁ ମାନସିକ ଦୁଶ୍ଚିନ୍ତାରେ ଥିଲି ତା’ର ସ୍ମୃତି ମୁଁ ଆଜିଯାଏ ଭୁଲି ପାରୁନି। ସରସ୍ବତୀ ପୂଜା ପାଇଁ ବଡ଼ିଭୋର୍‌ରୁ ଉଠି ଥଣ୍ଡାରେ ଥୁରୁ ଥୁରୁ ହୋଇ ଫୁଲ ତୋଳିବା ଅନୁଭୂତି ବି ଥିଲା ବେଶ୍‌ ନିଆରା। ସେ ସମୟର ଶୀତରାତି ଥିଲା ଭାରି କଷ୍ଟଦାୟକ। ଥଣ୍ଡାରେ ଦେହ କମ୍ପି ଯାଉଥିଲା। କନ୍ଥା, ରେଜେଇ ଘୋଡି ହୋଇ ଶୋଉଥିଲୁ। ସକାଳେ ଉଠି ନିତ୍ୟକର୍ମ କରିବାକୁ ଡର ଲାଗୁଥିଲା। ପୋଖରୀରେ ଗାଧୋଇବାକୁ ପଡୁଥିଲା। ପୋଖରୀର ଥଣ୍ଡା ପାଣିରୁ ବାହାରୁଥିବା ଥଣ୍ଡା ବାମ୍ଫ ଦେଖି ଗାଧୋଇବାକୁ ଡର ଲାଗୁଥିଲା। ଗାଧୋଇବା ଦଣ୍ଡ ପରି ମନେ ହେଉଥିଲା। ହେଲେ ବୋଉ ସୋରିଷ ତେଲ ଦେହରେ ଲଗାଇଦେଇ ଟାଣି ଟାଣି ପାଣିକୁ ନେଇ ଯାଉଥିଲା। ଜବରଦସ୍ତ ପାଣିରେ ବୁଡେଇ ଦଉଥିଲା। ଥରେ ବୁଡିଲା ପରେ କିନ୍ତୁ ଶୀତ କମିଯାଉଥିଲା। ସାନ ଭାଇକୁ ତ ଯେତେ ଟାଣି ଟାଣି ନେଲେ ବି ଖସି ପଳାଉଥିଲା। ବହୁତ କଷ୍ଟରେ ଧରାପଡିଲେ ବୋଉ ତା’ ଉପରେ ପାଣି ଢାଳି ଦେଉଥିଲା। ତା’ପରେ ଯାଇ ସିଏ ପୋଖରୀରେ ଗାଧୋଉଥିଲା। ହେଲେ ଆଜିକାଲି ଗିଜର ଅନ୍‌ କରି ଗରମ ପାଣିରେ ଗାଧୋଉଥିବା ପିଲା ସେ ଅନୁଭୂତି କେମିତି ପାଇବେ। ସେ ଯାହା ବି ହେଉ ଶୀତ ଋତୁ କିନ୍ତୁ ଭାରି ଭଲ ଲାଗୁଥିଲା। ମତେ ଲାଗେ ଏଇ ଋତୁ ବହି ପଢିବା ଓ ଲେଖାଲେଖି କରିବା ପାଇଁ ଉତ୍କୃଷ୍ଟ ସମୟ। ଏଇ ସମୟରେ ହିଁ ମୁଁ ଅନେକ ପଢାପଢି ଓ ଲେଖାଲେଖି କରୁଥିଲି।
ଖରାରେ ବସି ପଖାଳ, ବଡ଼ିଚୂରା, ଶାଗ, ମାଛଭଜା ଖାଇବାର
ମଜା ଅଲଗା- ମମତା ଦାଶ, ସାହିତି୍ୟକା
ପିଲାଦିନର ଶୀତ ଋତୁ କଥା ମନେ ପଡିଲେ ଲାଗେ ସେସବୁ ସତେ କ’ଣ ଏଇ ଜଗତର କଥା? ଜଗତ୍‌ସିଂପୁରରେ କଟିଥିଲା ମୋର ପିଲାଦିନ। ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସେଠିକାର ସ୍କୁଲରେ ପଢ଼ିଥିଲି। ତା’ପରେ କଟକର ରେଭେନ୍ସା ଗର୍ଲସ ହାଇସ୍କୁଲ ହଷ୍ଟେଲରେ ରହି ପଢିଲି। ତଥାପି ବଡଦିନ ଛୁଟିରେ ଘରକୁ ଆସୁଥିଲି ଓ ଶୀତଋତୁର ସେ ଚମତ୍କାର ଅନୁଭବକୁ ଅନୁଭବି ଥିଲି। ଆଜିକାଲି ତ ଶୀତଋତୁ ପ୍ରାୟ ମାସେ କି ଦେଢ଼ ମାସ। ଆଗଭଳି ଦେହଥରା ଶୀତ ଆଉ କାହିଁ? ଆମେ ୮ଭାଇ ଭଉଣୀ। ନନା (ବାପା) ସେଠିକାର ପ୍ରସିଦ୍ଧ ଡାକ୍ତର ଥିଲେ। ସେତେବେଳେ ଶୀତ ରାତିରେ ପ୍ରବଳ ଶୀତ ହେଉଥିଲା। ଭାଇ ଭଉଣୀ ସବୁ ଏକାଠି ଶୋଇ ରେଜେଇ ଟଣାଟଣି ହୋଇ କଳି କରୁଥିଲୁ। ଆମ ଘର ଥିଲା ଗୋଟିଏ ତୋଟା ମଝିରେ। ସେଠି ନଡିଆ, ତାଳ, ଜାମୁ, ଆମ୍ବ, ପଣସ, ଖଜୁରି ଇତ୍ୟାଦି ଗଛ ଥିଲା। ମୁଁ ଛୋଟବେଳୁ ଚା’ ପିଉଥିଲି। କ୍ଷୀର, ଗୁଣ୍ଡ ଚା’ରେ ଚିନି ଟିକେ ବେଶି ପକାଇ ଶୁଖିଲା ନଡିଆ ବାହୁଙ୍ଗା ଜାଳି ବୋଉ ଚା’ କରୁଥିଲା। ଆଲୁମିନିୟମ କେଟ୍‌ଲିରୁ କପରେ ଗରମ ଚା’ ଢାଳି ପିଇବାକୁ ଭାରି ଆରାମ ଲାଗୁଥିଲା। ଚା’ ଭିତରେ ନଡ଼ିଆ ପତ୍ରର ଧୂଆଁ ବାସ୍ନା ମତେ ଭାରି ଭଲ ଲାଗୁଥିଲା। ସେତେବେଳେ ଶୀତ ଦିନିଆ ପରିବାର କି ବାସ୍ନା! ଫୁଲ କୋବି, ବାଇଗଣ ଭଜା ଭାରି ସୁଆଦ ଲାଗୁଥିଲା। ମନେ ଅଛି ସକାଳ ଖରାରେ ସେତେବେଳେ କେତେ ପ୍ରକାରର ବଡ଼ି ପଡୁଥିଲା। ଆମ ଘରେ କାମ କରୁଥିବା ପିଲାଠୁ ଦେଖି ମୁଁ ଖରାରେ ବସି ଅନେକ ଥର ବଡ଼ି ଚୂରା, ଶାଗ, ମାଛ ଭଜା ସହିତ ସଜ ପଖାଳ ଖାଇଛି। ତା’ର ମଜା ଅଲଗା। ପାଖ ଘରେ ଦୁଇ ଜଣ ବ୍ରାହ୍ମଣ ବିଧବା ମହିଳା ରହୁଥିଲେ। ସେମାନେ କରୁଥିବା ହବିଷ ଅନ୍ନ, ଡାଲମା, ଓଉ ଖଟା, କଦଳୀ ଭଜା ଖାଇବାକୁ ଆମେ ଅପେକ୍ଷା କରି ରହୁଥିଲୁ। ସେତେବେଳେ ବାଡ଼ିପଟ ଚୁଲିରେ ଶୁଖିଲା ଡାଳ ପତ୍ର ଜାଳି, ମାଟି ହାଣ୍ଡିରେ ଗରମ ପାଣି କରାହେଉଥିଲା। କାମ ବାଲି ଆମକୁ ଗରମ ପାଣି ଦେଲେ ଜଣକ ପରେ ଜଣେ ଗାଧୋଉ ଥିଲୁ। ମୁଁ ଦେହରେ ତେଲ ଲଗାଇବାକୁ ଚାହୁଁ ନ ଥିଲି, ମୁଣ୍ଡ ଧୋଇବାକୁ ଡରୁଥିଲି। ବୋଉ ମୋତେ ଦିନେ ଦିନେ ଜବରଦସ୍ତ ଦେହସାରା ନଡ଼ିଆ ତେଲ ଲଗାଇ ଘଷି ଘଷି ଗାଧୋଇ ଦେଉଥିଲା। ମୁଁ ରାଗୁଥିଲି ଓ କାନ୍ଦୁଥିଲି।
କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗାଭସା କଥା କିଏ ବା ଭୁଲି ପାରିବ? ସୋଲର ରଙ୍ଗିନ ଡଙ୍ଗା ସବୁ ସଜଡା ହୋଇ ରହେ। ରାତି ସାରା ନିଦ ହୁଏନା। ଭୋର ଅନ୍ଧାରରୁ ଉଠି ଶୀତରେ ଥରି ଥରି ଯାଉ ପାଖ କେନାଲକୁ। ସ୍ବେଟର ନ ପିନ୍ଧି ଦୁଇ ହାତକୁ ଛାତି ପାଖରେ ଜାକି ଧରି ‘ଓହୋ ଓହୋ’ ହେବାକୁ ଭଲ ଲାଗେ। ନନା(ବାପା)ଦେଖିଲେ ରାଗି ଯାଇ କହନ୍ତି ‘ସ୍ବେଟର ନାହିଁ କି ତୋର?’ ଆଗରୁ ଲୋକଙ୍କ ପାଖରେ ଶୀତବସ୍ତ୍ର ବହୁତ କମ୍‌ ଥିଲା। ତେବେ ନନା କଲିକତାରୁ ମୋ ପାଇଁ ଗୋଟିଏ ଲମ୍ବା କୋଟ୍‌ କିଣି ଆଣି ଦେଇଥିଲେ। କହିଥିଲେ ‘ସ୍କୁଲକୁ ପିନ୍ଧି ଯିବୁ’। ମୁଁ ବାଧ୍ୟ ହୋଇ ଘରୁ ପିନ୍ଧି ଯାଉଥିଲି। ହେଲେ କ୍ଲାସ ଭିତରକୁ ପଶିବା ଆଗରୁ କୋଟଟି କବାଟ ଉପରେ ରଖିଦିଏ। କାରଣ କେହି ସେମିତି ପିନ୍ଧୁ ନ ଥିଲେ। ଅନେକ ପିଲା ତ ସ୍ବେଟର ବି ପିନ୍ଧୁ ନ ଥିଲେ। ମୋତେ ଭାରି ଲାଜ ଲାଗେ।
ମକର ସଂକ୍ରାନ୍ତିରେ ମକର ଯାତ୍ରା ଜଗତ୍‌ସିଂହପୁରର ସବୁଠାରୁ ଆକର୍ଷଣୀୟ ଥିଲା। ବାଲି ଯାତ୍ରା ଭଳି ବହୁତ ଗହଳି ହୁଏ। ଆମେ ସମସ୍ତେ (ନନାଙ୍କ ଛଡା)ଭଲ ଲୁଗାପଟା ପିନ୍ଧି ଯାତ୍ରା ଦେଖିବାକୁ ଯାଉ। ତା’ ଭିତରେ ଆସି ଥାଏ ଦୀପାବଳି ବାଣ ଫୁଟା, ସରସ୍ବତୀ ପୂଜା। ଶୀତ ଦିନ ସତରେ ଯେମିତି ଜୀବନର ଏକ ବିସ୍ମୟ। ବେଳେ ବେଳେ ବାଡ଼ି ଆଡେ ନିଆଁ ଜାଳି ନିଆଁ ପୋଉଁଥିଲୁ। ଆଉ ଗୀତ ଗାଉଥିଲୁ ”ଶୀତ କଲା ଲୋ ମିତର ଭାଇ, ବାଟରେ ବସିଛି କାଠ କୁଣ୍ଢେଇ, ଖାଉଛି ଗଞ୍ଜେଇ ଗାଉଚି ଗୀତ, ପିଠିରେ ପକାଇ ନେଉଚି ଶୀତ।“ ଆମ ଘର ଆଗରେ ଯାଇଥିବା ନାଲି ରାସ୍ତା ସେପାଖେ ଥିଲା ବିସ୍ତୃତ ଧାନ ବିଲ। ସେଠି ଲାଗିଥିବା ଖରିଫ ଧାନ ସେତିକି ବେଳେ ପାଚେ। ପାଚିଲା ଧାନର କି ବାସ୍ନା! ସେଇ ଶୀତଦିନେ ହିଁ ଆସେ ନୂଆ ବର୍ଷ। ପିଲା ଦିନରୁ ମୁଁ କବିତା ଲେଖେ। ପ୍ରତି ବର୍ଷ ନନା ଦେଉଥିବା ନୂଆ ଛୋଟ ଡାଇରୀରେ ସେଗୁଡିକ ଲେଖେ। ନୂଆ ବର୍ଷକୁ ସ୍ବାଗତ କରି କବିତା ଲେଖେ, ଶୀତଦିନର ବିଦାୟ ପାଇଁ ବି ଲେଖେ।
ଏବେ ବି ମୁଁ କବିତା ଲେଖୁଚି। ଲେଖାଲେଖି ମୋର ଜାରି ରହିଛି। କିନ୍ତୁ ସମୟ ଓ ଜୀବନ ବଦଳି ଯାଇଛି ଖୁବ୍‌ ବେଶି। ଏବେ କାହିଁ ଆଉ ସେଇ ମଧୁର ଶୀତଳ ସରଳ ଶୀତ ଦିନ ଯାହା ଆମର ବାଲ୍ୟକାଳର ମାନସିକତାକୁ ଏତେ ସୌନ୍ଦର୍ଯ୍ୟ ଓ ଆନନ୍ଦ ଦେଇ ପାରୁଥିଲା? ଆଜିର ପିଲେ ସେ ଅନୁଭବକୁ କ’ଣ କେବେ ବି ବୁଝିପାରିବେ?
ନିଆଁ ପୁଆଁଇବାବେଳେ ଜେଜେମା’ର ଭୂତ କାହାଣୀ ଭାରି ଭଲ ଲାଗୁଥିଲା-ଶଙ୍କର୍ଷଣ ମଙ୍ଗରାଜ, ଆକାଶବାଣୀ ଉଦ୍‌ଘୋଷକ
ଖୋର୍ଦ୍ଧା ଜିଲା କୁହୁଡି ନିକଟସ୍ଥ ତରାପି ଏକ ଚିଲିକା କୂଳିଆ ଛୋଟ ଗାଁ। ଏଇ ଗାଁରେ ମୋ ଜନ୍ମ। ପିଲାଦିନେ ମୁଁ ସେଠି ଅନୁଭବ କରିଛି ଅସହ୍ୟ ଶୀତର କଷ୍ଟ। ହେଲେ ସେତେବେଳେ ଶୀତବସ୍ତ୍ର ଏତେ ନ ଥିଲା। ରାତିରେ ଲୋକେ ହେଁସ ଘୋଡେଇ ହୋଇ ଶୋଉଥିଲେ। ସେଗୁଡିକୁ କିଏ କିଣୁଥିଲା ତ ଆଉ କିଏ ନିଜେ ବୁଣୁଥିଲେ। ଗାଁରେ ସମସ୍ତେ ଭୋର୍‌ରୁ ଉଠୁଥିଲେ। ଖଳାବାଡ଼ି, ଗାଁ ମୁଣ୍ଡରେ କାଠ ଗଣ୍ଡି ଶୁଖିଲା କାଠି କୁଟା ପକାଇ ନିଆଁ ଜାଳି ନିଆଁ ପୁଆଉଁ ଥିଲେ। ଏଇ ନିଆଁ ପୁଆଇଁବା ସମୟରେ କେତେ ଖୁସି ଗପ ହୁଅନ୍ତି। ଖରା ପଡିଲାଯାଏ ଏମିତି ନିଆଁ ପୁଆଁ ଆଉ ଗପସପ ଚାଲେ। ପିଲାମାନଙ୍କ ପାଇଁ ଉହ୍ମେଇରେ ନିଆଁ ରଡ ରଖାଯାଉଥିଲା। ସେଥିରୁ ସେମାନେ ନିଆଁ ପୁଅଁାନ୍ତି। ଶୀତଦିନ ଯେତିକି କଷ୍ଟଦାୟକ ସେତିକି ଆନନ୍ଦଦାୟକ ବି ଥିଲା। ଜାକିଜୁକି ହୋଇ ବସି ମୁଢିଚୁଡା ଖାଇବା, ଖଳାବାଡିରେ ଖରାରେ ବସି ପଖାଳ ଖାଇବାର ମଜା ଥିଲା ଅଲଗା। ଗାଁରେ ଏକ ଢଗ ଶୁଣିଥିଲି -‘ସାଙ୍କୁଡୁ ପାଙ୍କୁଡୁ ପୁଞ୍ଜିଏ, ସୁକ୍‌ ଠୋ ଠୋ ପୁଞ୍ଜିଏ, ସାଲୁରୁ ବାଲୁରୁ ପୁଞ୍ଜିଏ।’ ଯାହାର ଅର୍ଥ:- ଶୀତରେ ଥୁରୁଥୁରୁ ହୋଇ ଜାକିଜୁକି ହୋଇ ରହିବା ଚାରି ମାସ, ଖରାଦିନର ଟାଇଁ ଟାଇଁ ଖରା ଚାରି ମାସ ଓ ବର୍ଷାଦିନର ପାଣି ପଚପଚ, ପୋକ ଜୋକ ଚାରିମାସ ହେବା ପ୍ରକୃତିର ନିୟମ। ତେଣୁ ସବୁ ଋତୁ ନିଜର ନିର୍ଦ୍ଧାରିତ ସମୟରେ ଆସିବା ଦରକାର। ଆଉ ସେତେବେଳେ ତାହା ହେଉଥିଲା। ମୋର ମନେ ଅଛି ଶୀତଦିନେ ମୋ ଜେଜେମା’ ବଡି ଭୋର୍‌ରୁ ବଡ଼ ପାଟି କରି ଆମକୁ ଡାକି କହେ, ‘ବେଳ ଆସି ପହଡେ ହେଲାଣି । କାହା ଘରେ ପିଲା ଏତେ ସମୟ ଯାଏ ଶୋଇଛନ୍ତି। ସମସ୍ତେ ଉଠି କିଏ କୁଆଡେ ଗଲେଣି। ତମେମାନେ ଆହୁରି ଶୋଇଛ।’ ତା’ ରଡି ଶୁଣି ଉଠି ଦେଖିଲାବେଳକୁ ବାହାର କିଟିକିଟି ଅନ୍ଧାର। କାକର ପଡୁଥିବ, ସୂର୍ଯ୍ୟ ଉଇଁ ନ ଥିବେ। ସେ ଖଳାବାଡିରେ ନିଆଁ ଲଗେଇ ସମସ୍ତଙ୍କୁ ସେଠି ଏକାଠି କରେ। ଆମେ ନିତ୍ୟକର୍ମ ସାରି ସେଇଠି ନିଆଁ ପୁଆଉଁଥିଲୁ। ମୁଁ ଗୋଟେ କୁକୁର ରଖିଥିଲି। ତା’ ନାଁ ଟମି ଥିଲା। ତାକୁ ବି ମୁଁ ମୋ ପାଖରେ ବସାଇ ନିଆଁ ପୁଆଉଁଥିଲି। ଜେଜେମା’ ସେଇଠି ଆମକୁ କେତେ ଭୂତ ଗପ ସବୁ କହୁଥିଲା। ଗାଁରେ କାହା ଦେହରେ ଭୂତ ଲାଗିଥିଲା, ଗୁଣିଆ କେମିତି ଆସି ତାକୁ କାବୁ କଲା। ଭାରି ସୁନ୍ଦର ଭାବରେ କହୁଥିଲା। ଶୀତଦିନେ ନିଆଁ ପୁଆଁଇବା ଲାଗି ଠାଏଁ ଠାଏଁ ନିଆଁ ଲଗାଯାଉଥିଲେ ହେଁ କେବେ ଘର ପୋଡିର ଘଟଣା ଘଟୁ ନ ଥିଲା। ସେତେବେଳେ ଆମେ ଜଳଖିଆଭାବେ ଚୁଡା, ମୁଢି, ମୂଆଁ ଖାଉଥିଲୁ। ଆମର ସକାଳୁଆ ସ୍କୁଲ ହେଉଥିଲା। ରାତିରେ ବୋଉ ଘଡ଼ିରେ ଅରୁଆ ଚାଉଳ, ପାଣି, ଲୁଣ ଓ ମୁଗ ଡାଲି ପକେଇ ନିଆଁ ରଡ ଥିବା ଲିଭା ଚୁଲିରେ ତାକୁ ସକାଳ ଯାଏଁ ବସଉଥିଲା। ଆଉ ସକାଳକୁ ମୁଗୁଲୀ ଭାତ ପ୍ରସ୍ତୁତ ହେଇଯାଉଥିଲା। ସକାଳେ ପୋଖରୀ ଯାଇ ଥୁରୁ ଥୁରୁ ହୋଇ ଥଣ୍ଡା ପାଣିରେ ଗାଧୋଇପାଧୋଇ ଘରକୁ ଆସି ମୁଗୁରୀ ଭାତକୁ ସୁଖୁଆ ପୋଡା ଖାଇ ସ୍କୁଲ ଯାଉଥିଲୁ। ସ୍କୁଲକୁ ସବୁଠୁ ଆଗ କିଏ ପହଞ୍ଚତ୍ବ ସାର୍‌ ପ୍ରତିଯୋଗିତା କରୁଥିଲେ। ସେଥିପାଇଁ ବଡି ଭୋର୍‌ରୁ ଶୀଘ୍ର କାମ ସାରି ସ୍କୁଲ ଯାଉଥିଲୁ। ସ୍କୁଲ ପହଞ୍ଚତ୍ ବଗିଚା କାମ କରୁଥିଲୁ। ଏମିତିରେ ଶୀତ ଛାଡି ଯାଉଥିଲା। ଆଉ ପାଠପଢି ସ୍କୁଲରୁ ଦ୍ୱିପ୍ରହରରେ ଫେରି ଗରମ ଭାତ ଖାଉଥିଲୁ। ଶୀତଦିନ ରାତିରେ ଆମେ ଚାରି ଭାଇ ଭଉଣୀ ଶୋଇବାବେଳେ ଚାଦର ଟଣାଟଣି ହେଉଥିଲୁ। ସରସ୍ବତୀ ପୂଜାରେ ଆମ ସ୍କୁଲରେ ଏକ ଅଜବ ପରମ୍ପରା ପାଳନ କରାଯାଉଥିଲା। ବାଲି ଗଦାରେ ନଡିଆ ଲୁଚାଇ ରଖାଯାଉଥିଲା। ପିଲାମାନେ ଦୌଡିକି ଆସି ବାଲି ଗଦାରେ ବସି ବାଲିଗଦା ଖୋଳି ନଡିଆ ଖୋଜନ୍ତି। ଯିଏ ପ୍ରଥମେ ନଡିଆ ପାଏ ସିଏ ପ୍ରଥମ ଓ ଯିଏ ପରେ ପାଏ ସେ ହୁଏ ଦ୍ୱିତୀୟ। ନଡିଆ ପାଉଥିବା ପିଲାକୁ ମା’ ସରସ୍ବତୀଙ୍କ ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ ଥିଲା। ମୁଁ ବି ଥରେ ନଡିଆ ପାଇଥିଲି। ଆଉ ସାର୍‌ ବହୁତ ଖୁସି ହୋଇଯାଇଥିଲେ। ସରସ୍ବତୀ ପୂଜା ପାଇଁ ବଡି ଭୋର୍‌ରୁ ଥୁରୁଥୁରୁ ହେଇ ଲୋକଙ୍କ ବାଡିରୁ ଫୁଲ ତୋଳିବା କଥା ଆଜି ବି ମୋର ମନେ ଅଛି।
ଥଣ୍ଡା ନାଳ ପାଣିରେ ଲୁଚକାଳି ଖେଳୁଥିଲୁ
– ସୁଧାଂଶୁମାଳିନୀ ସାହୁ, ଲେଖିକା
ବର୍ଷ ପରେ ବର୍ଷ କେବେ ବିତିଗଲା ଆଉ ମୁଁ ୭୩ବର୍ଷ ବୟସରେ ଉପନୀତ ହେଲି ଜାଣି ହେଲାନି। ପିଲାଦିନେ ମୁଁ ବହୁତ ଦୁଷ୍ଟ ଥିଲି। ଖରା, ବର୍ଷା, ଶୀତ କିଛି ବି ମତେ ଖେଳା ବୁଲା ଓ ଦୁଷ୍ଟାମି କରିବାରୁ ରୋକିପାରୁ ନ ଥିଲା। ଆମ ଗାଁ କୁଜଙ୍ଗ, ବଳରାମପୁରରେ। ସେଠାକାର ଶୀତଦିନର ସ୍ମୃତି ତ ଆଜି ବି ମନରେ ମୋର ତାଜା ହୋଇ ଅଛି। ଗାଁ ଗହଳରେ ଝିଅମାନେ ଖରା ହେବା ପର୍ଯ୍ୟନ୍ତ ଶୋଇବା ଲକ୍ଷ୍ମୀଛଡା ବୋଲି ଧରାଯାଏ। ସେଥିପାଇଁ ସକାଳୁ ସକାଳୁ ବୋଉ ଉଠେଇଦିଏ। ଥୁରୁଥୁରୁ ହେଇ ନାଳକୁ ଯାଉଥିଲୁ ନିତ୍ୟକର୍ମ ସାରିବାକୁ। ସାଙ୍ଗସାଥୀଙ୍କ ସହ ହସ ଗପ ହେଇ ଗାଧୋଇବାବେଳେ ଶୀତ ଜଣାପଡେନି। ଆଉ ଥଣ୍ଡା ପାଣିରେ ହିଁ ମୋର ଖେଳ ଆରମ୍ଭ ହୋଇଯାଏ। ଆମେ ସବୁ ପାଣିରେ ବୁଡି ବୁଡି ଲୁଚକାଳି ଖେଳୁ। ଜଣେ ପାଣିରେ ବୁଡିଲେ ଅନ୍ୟମାନେ ଖୋଜୁଥିଲେ। ଏମିତି ଖେଳିବା ପରେ ଘରକୁ ଫେରିଥିଲୁ। ଘରେ ପଖାଳ କି ଚୁଡା,ମୁଢି ଖାଇ ସ୍କୁଲ ଯାଉଥିଲୁ। ସେତେବେଳେ ଘଣ୍ଟା ନ ଥିଲା। ତେଣୁ ଖରାରେ ଠିଆ ହୋଇ ଛାଇକୁ ପାଦରେ ମାପି ସମୟ ଜାଣୁଥିଲୁ। ଆଉ ତା’ ଅନୁସାରେ ସ୍କୁଲ ଯାଉଥିଲୁ। ଶୀତଦିନର ଆଉ ଏକ ସ୍ମୃତି କଥା ମନେପଡିଲେ ଭାରି ହସ ଲାଗେ। ଶୀତଦିନେ ଆମେ ସାଙ୍ଗମାନେ ବିଲକୁ ଯାଇ ବିରି ଛୁଇଁ ଚୋରି କରି ଆଣୁଥିଲୁ। ତା’ପରେ ତାକୁ ଛଡେଇ ଚୁଲି କରି ଭାଜି ତରକାରି କରୁଥିତ୍ଲୁ। ନିଜ ନିଜ ଘରୁ ଚାଉଳ ପରିବା ବି ଆଣୁଥିଲୁ। ସେସବୁ ରାନ୍ଧି ଭୋଜି କରୁଥିଲୁ। ସେମିତି ବିଲରୁ ଧାନ କେଣ୍ଡା ଚୋରି କରି ଆଣି କେଉଟ ଘରକୁ ଦେଉଥିଲୁ। ସେ ଆମକୁ ଚୁଡା ଦେଉଥିଲା। ଚୁଡାର ବନ୍ଦୋବସ୍ତ ହେଇଗଲା ପରେ ନିଜ ନିଜ ଘରୁ ନଡିଆ, ଘିଅ, ଗୁଡ ଆଣି ଚୁଡାଘଷା କରି ଖାଉଥିଲୁ। ଶୀତଦିନେ ଖରାରେ ପଖାଳ ଖାଇବାର ମଜା ଥିଲା ଅଲଗା। ରାତିରେ ଶୀତ ପ୍ରବଳ ହୁଏ। ଆମେ ଘରେ ଚାଦର ଓ ହେଁସ ଘୋଡେଇ ହୋଇ ଶୋଉଥିଲୁ। ଶୀତ ସକାଳରେ ସାଙ୍ଗସାଥୀ ମିଶି କାଠ ଯୋଗାଡ କରି ନିଆଁ ଲଗାଇ ନିଆଁ ପୁଆଉଁଥିଲୁ। ନାନା ବଦ୍‌ମାସୀ ସହ ପାଠପଢା ବି ହେଉଥିଲା। ଆମେ ଖାଲି ପାଦରେ ଚାଲି ଚାଲି ଶୀତରେ ଥରି ବହି ବାକ୍ସଟିଏ ଧରି ସ୍କୁଲ ଯାଉଥିଲୁ। ସନ୍ଧ୍ୟାବେଳେ ଚୁଲି ମୁଣ୍ଡରେ କିଛି ସମୟ ବସି ଦେହ ଉଷୁମ ହେବା ପରେ ଲଣ୍ଠନ ଆଲୁଅରେ ବସି ପାଠ ପଢୁଥିଲୁ। ଦିନରେ ଖରାରେ ମଶିଣା ପକେଇ ବସି ମଧ୍ୟ ପଢୁଥିଲି। ଏସବୁ ସ୍ମୃତି ମନେ ପଡିଲେ ଭାରି ଭଲ ଲାଗେ।
ଲାଜକୁଳୀ ଲତା ଉପର କାକର ଟୋପାକୁ ପାଦରେ ଛୁଇଁବାକୁ ମଜା ଲାଗୁଥିଲା -ପ୍ରଫେସର୍‌ ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ
ବାଣପୁରର ଗୋଡିଝର ହେଉଛି ଆମ ଗାଁ। ଗାଁ ଚାରିପଟେ ଜଙ୍ଗଲ ଆଉ ପାହାଡ। ଘରଠୁ ଚିଲିକା ଥିଲା ମାତ୍ର କେଇ କି.ମି. ଦୂରରେ। ସେଥିପାଇଁ ଶୀତର ପ୍ରକୋପ ଭାରି ତୀବ୍ର ଥିଲା ଗୋଡିଝର ଗାଁରେ। ଖାସ୍‌କରି ଗରିବ ଲୋକଙ୍କ ପାଇଁ ତ ଶୀତ ଥିଲା ଭାରି ଯନ୍ତ୍ରଣାଦାୟକ। ଭୋର୍‌ରୁ ଉଠି ଘନ କୁହୁଡି ଚିରି ବିଲକୁ କାମ କରିବା ପାଇଁ ଯିବା ଥିଲା କଷ୍ଟଦାୟକ। ଗାଁ ସ୍ତ୍ରୀ ଲୋକ ଥୁରୁ ଥୁରୁ ହୋଇ ପୋଖରୀକୁ ଯାଇ ବରଫ ଭଳି ଥଣ୍ଡା ପାଣିରେ ଗାଧୋଉଥିଲେ। ଛୋଟ ପିଲାଙ୍କୁ ତ ଟାଣି ଟାଣି ମା’ମାନେ ପୋଖରୀକୁ ନେଉଥିଲେ ଗାଧୋଇବାକୁ। କାର୍ତ୍ତିକ ମାସରେ ହବିଷିଆଳିମାନଙ୍କ ଅବସ୍ଥା କହିଲେ ନ ସରେ। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ମୁଣ୍ଡ ବୁଡେଇ ଗାଧୋଇବାକୁ ଭାରି କଷ୍ଟ ଲାଗୁଥିଲା। ପ୍ରାଥମିକ ସ୍କୁଲରେ ପଢିବାବେଳେ ଆମର ସକାଳୁଆ ସ୍କୁଲ ହେଉଥିଲା। ଚୁଡା, ମୁଢି, ମୁଆଁ ଖାଇଦେଇ ହାଫ ପ୍ୟାଣ୍ଟ, ଶାର୍ଟ ପିନ୍ଧି ଥୁରୁଥୁରୁ ହୋଇ ସ୍କୁଲ ଯାଉଥିଲୁ, ସେ ପୁଣି ଖାଲି ପାଦରେ ଚାଲି ଚାଲି। ପ୍ରବଳ ଥଣ୍ଡା ପାଇଁ ଖରାରେ ବସାଇ ସାର୍‌ ପଢଉଥିଲେ। ଆଉ ସ୍କୁଲରୁ ଫେରିବା ପରେ ପୋଖରୀରେ ଗାଧୋଉଥିଲୁ। ଆମ ଘରେ ଉହ୍ମେଇ ଥିଲା। ଗାଁର ପ୍ରାୟ ସମସ୍ତଙ୍କ ଘରେ ମାଟିର ଉହ୍ମେଇ ରହୁଥିଲା। ରାତିରେ ଉହ୍ମେଇରେ କାଠ ଜାଳି ହାତ, ଗୋଡ, ମୁହଁ ସେକାସେକି ହେଉଥିଲୁ। ଖାଇବା ପରେ ଶୋଇବାବେଳକୁ ଉହ୍ମେଇକୁ ଲିଭେଇ ଦିଆଯାଉଥିଲା। ତା’ପରେ ମୋଟା ଚାଦର, କମ୍ବଳ ଘୋଡେଇ ହୋଇ ଶୋଉଥିଲୁ। ମୁଁ ତ ଜେଜେମା’ ପାଖରେ ଶୋଉଥିଲି। ଶୀତରାତିରେ ଘୋଡି ହୋଇ ଗପ ଶୁଣି ଶୋଇବାକୁ ମତେ ଭାରି ମଜା ଲାଗୁଥିଲା। ମୁଁ ଯେବେ ଉଚ୍ଚ ପ୍ରାଥମିକ ସ୍କୁଲରେ ପଢିଲି ସ୍କୁଲ ଘରଠୁ ୨ କି.ମି ଦୂରରେ ଥିଲା। ଧାନ ବିଲ ହିଡରେ ଚାଲି ଚାଲି ଖାଲି ପାଦରେ ସ୍କୁଲ ଯାଉଥିଲି। ଗଲାବେଳେ ଶିରି ଶିରି ଥଣ୍ଡା ପବନ ବାଜି ଦେହ ଶୀତେଇ ଯାଉଥିଲା। ହାତ ଥଣ୍ଡା ହୋଇ କାଲୁଆ ହୋଇଯାଉଥିଲା। ହିଡର ଘାସ ଉପରେ ପଡିଥିବା କାକର ଟୋପା ଉପରେ ପାଦ ପକେଇବାକୁ ମତେ ଭଲ ଲାଗୁଥିଲା। ପୁଣି ଲାଜକୁଳୀ ଲତା ଉପରେ ପଡୁଥିବା କାକର ଟୋପା ଉପରେ ପାଦ ଦେଲାବେଳେ ଲାଜକୁଳୀ ଲତା ମୁଦି ହୋଇଯାଉଥିବା ଦେଖି ଯେଉଁ ଖୁସି ମିଳୁଥିଲା ତାକୁ କହି ହେବନି। ଗାଁ ଲୋକ ନିଆଁ ପୁଆଁଇବା ସମୟରେ ଲୋକମାନେ ଭୂତଗପଠୁ ଆରମ୍ଭ କରି ଜଙ୍ଗଲରୁ କିଏ କୋଉ ପ୍ରାଣୀ ଶିକାର କରିଥିଲେ ତା’ର କାହାଣୀ କହୁଥିଲେ। ସେସବୁର ସ୍ମୃତି ମନେପଡିଲେ ଭାରି ଭଲ ଲାଗେ।
-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri