Categories: ଗଞ୍ଜାମ

ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ଦୁର୍ଘଟଣା: ବିଦ୍ୟୁତ୍‌ ଆଘାତରେ ୨ ଘର ମାଲିକଙ୍କ ସମେତ ମିସ୍ତ୍ରି ମୃତ

ବ୍ରହ୍ମପୁର ଅଫିସ/କୁକୁଡ଼ାଖଣ୍ଡି,୨୨ା୭(ଡି.ଏନ.ଏ.)-ବ୍ରହ୍ମପୁର ଅଳକାପୁରୀ ୬ଷ୍ଠ ଲେନ୍‌ରେ ଏକ ନିର୍ମାଣାଧୀନ ଘର ଛାତ ସେଣ୍ଟ୍ରିଙ୍ଗ୍‌ ଖୋଲିବା ବେଳେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଘର ମାଲିକ ଓ ମିସ୍ତ୍ରିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଲ୍ଲିକୋଟ ଧୋବା ସାହିର ଶରତ ଚନ୍ଦ୍ର ବେହେରା ଓ ମିସ୍ତ୍ରି ହେଉଛନ୍ତି ସଦାନନ୍ଦ ବିହାରର ଅରୁଣ କୁମାର ସାବତ। ସେହିପରି ଅନ୍ୟ ଏକ ଘଟଣାରେ ଏକ ଫ୍ୟାନ ତାର ଯୋଡିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଘର ମାଲିକ ଜଗଦ୍ଦଳପୁରର କାଳିଆ ସେଠୀଙ୍କର ମୃତ୍ୟୁ ଘଟିଛି ବୋଲି ସଦର ଥାନା ଅଧିକାରୀ ଭାବନାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଶରତ ସାଉଥ୍‌କୋରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ସେ ଅଳକାପୁରୀରେ ଏକ ଘର ତିଆରି କରୁଛନ୍ତି। ଏଠାରେ ଅରୁଣ ମିସ୍ତ୍ରି ଭାବେ କାମ କରୁଥିଲେ। ରବିବାର ଘର ଛାତ ସେଣ୍ଟ୍ରିଙ୍ଗ୍‌ ଖୋଲିବା ପାଇଁ ଅରୁଣ କେତେକ ଶ୍ରମିକଙ୍କୁ ନିଯୋଜିତ କରିଥିଲେ। ନିର୍ମାଣାଧୀନ ଘର ନିକଟ ଦେଇ ୧୧ କେଭି ବିଦ୍ୟୁତ ତାର ଯାଇଛି। ଅପରାହ୍ନରେ ଅରୁଣ ଛାତ ଉପରକୁ ଯାଇ ଛାତରେ ଲାଗି ରହିଥିବା ଏକ କାଠ ଏକ ଶାବଳରେ ତାଡି ବାହାର କରୁଥିବା ବେଳେ ଅସାବଧାନତାବଶତଃ ଶାବଳଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଅରୁଣ ଉକ୍ତ ତାରରେ ଲଟକି ରହିଯାଇଥିଲେ ା ସେ ଛଟପଟ ହୋଇ ଚିତ୍କାର କରିବାରୁ ସେଠାରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ଏକ କାଠ ବଲା ସାହାଯ୍ୟରେ ଅରୁଣଙ୍କୁ ତାରରୁ ଅଲଗା କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ଉକ୍ତ ୧୧ କେଭି ତାରରେ ରହିଯାଇଥିବା ଶାବଳକୁ ବାହାର କରିବା ପାଇଁ ଘର ମାଲିକ ଶରତ ବେହେରା ଏକ ଝାଡୁ ଧରି ଛାତ ଉପରକୁ ଯାଇଥିଲେ। ସେ ଧରିଥିବା ଝାଡୁରେ ବିଦ୍ୟୁତ ତାର ଉପରୁ ଶାବଳଟିକୁ ବାହାର କରିବା ବେଳେ ବିଦ୍ୟୁତ୍‌ ଆଘାତରେ ଛିଟିକି ପଡି ଚିତ୍କାର କରିଥିଲେ। ପରିବାର ଲୋକେ ପାଟି ଶୁଣି ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଏମ୍‌କେସିଜି ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପୂର୍ବରୁ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ମିସ୍ତ୍ରି ଅରୁଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।
ସେହିପରି ରବିବାର ଅନ୍ୟ ଏକ ଘଟଣାରେ ଜଗଦ୍ଦଳପୁର ଗ୍ରାମର କାଳିଆ ସେଠୀ ଘର ଫ୍ୟାନରେ ତାର ଯୋଡୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ। ତାଙ୍କୁ ପରିବାର ଲୋକେ ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର କାଳିଆଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘର ମାଲିକ ଓ ମିସ୍ତ୍ରିଙ୍କ ମୃତଦେହ ଜବତ କରି ନଂ.୨୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେହିପରି କାଳିଆଙ୍କ ମୃତଦେହ ଜବତ କରି ନଂ.୨୭/୧୯ରେ ଅନ୍ୟ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପୋଲିସ କହିଛି।