ସେକ୍ସ ର଼୍ୟାକେଟରେ ଧରାପଡ଼ିଲେ ରାଣୀ ମହୁମାଛି, ଦୁଇ ଗ୍ରାହକଙ୍କ ସହ କୋର୍ଟ ଚାଲାଣ

ଗୋପାଳପୁର,୧୦ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧିନସ୍ଥ ହଳଦିଆପଦର ରାଳବ ରାସ୍ତାରେ ପୋଲିସ ଏକ ସେକ୍ସ ର଼୍ୟାକେଟ ଠାବ କରିଛି। ରାଣୀ ମହୁମାଛି ସହିତ ଦୁଇ ଗ୍ରାହକ ପୋଲିସ କାବୁ କରିବା ସହ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିଛି। ରବିବାର ଅପରାହ୍ନରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସୋରଡ଼ା ଥାନା ଅଧିନସ୍ଥ ସୋରଡ଼ା ଅଞ୍ଚଳର ପଦ୍ମନାଭ ସାହୁ (୫୨),ଖାରିଗୁଡା ଗ୍ରାମର ଆଲୋକ କୁମାର ଗୁରୁ (୨୪) ଓ ରାଣୀ ମହୁମାଛି ଭଞ୍ଜନଗର ଅଞ୍ଚଳର ସାଗରିକା ପଣ୍ଡା (୫୫) ବୋଲି ପ୍ରେସ୍‌ ରିଲିଜରେ ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ହଳଦିଆପଦର ରାଳବ ରାସ୍ତା ଷଷ୍ଠ ଗଳିରେ ଏକ ଭଡ଼ା ଘରେ ଏକ ସେକ୍ସ ର଼୍ୟାକେଟ ଚାଲିଥିବା ନେଇ ଶନିବାର ରାତିରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଅଧିକାରୀ ବିବେକାନନ୍ଦ ସ୍ବାଇଁ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ରାଣୀ ମହୁମାଛି ସହିତ ଦୁଇ ଜଣ ଗ୍ରାହକଙ୍କୁ ପୋଲିସ କାବୁ କରିବା ସହ ଦୁଇ ଦେହଜୀବୀକୁ ପୋଲିସ ଉଦ୍ଧାର କରିଥିଲା। ଥାନାରେ ପୋଲିସ ଅଟକ ରଖି ପଚାରାଉଚରା କରିଥିଲା। ତାଙ୍କଠାରୁ ୨୧ ହଜାର ଶହେ ଟଙ୍କା ଓ ଆପତ୍ତିଜନକ ସାମଗ୍ରୀ ପୋଲିସ ଜବତ କରିଛି। ଗତ ଏକ ମାସ ହେଲା ସାଗରିକା ଏକ ଭଡ଼ା ଘର ନେଇ ସେକ୍ସ ର଼୍ୟାକେଟ ଚଳାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଘର ମାଲିକ ତଦନ୍ତ ପରିସର ଭୁକ୍ତ ହୋଇଥିବା ଜଣାପଡ଼ିଛି। ରବିବାର ଦୁଇ ଯୁବତୀ ଓ ପଦ୍ମନାଭ, ଆଲୋକ ଓ ସାଗରିକା ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରୀମାଇନା କରିବା ପରେ ଏ ନେଇ ଥାନାରେ କେସ୍‌ ନଂ ୧୦୨/୨୪ରେ ଏକ ମାମଲା ରୁଜୁ କରି ଅପରାହ୍ନରେ ଆଲୋକ, ପଦ୍ମନାଭ ଓ ସାଗରିକାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସୁରକ୍ଷା ଦୁଷ୍ଟିରୁ ଦୁଇ ଦେହଜୀବୀଙ୍କୁ ଶ୍ରଦ୍ଧାଗୃହକୁ ପଠାଇଛି।